ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ। ରାଜ୍ୟରେ ଧାନ କିଣା ଦୁର୍ନୀତି ଓ ଚାଷୀ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ହସ୍ତକ୍ଷେପ ଲୋଡ଼ିଲେ।
ତେବେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ସାଂସଦ ବସନ୍ତ ପଣ୍ଡା କହିଛନ୍ତି, ଖରିଫ ଋତୁରେ ୫.୫୪ ଲକ୍ଷ ଏକର ଜମି ଭୂତ ଜମି ବୋଲି ଚିହ୍ନଟ ହୋଇଛି। ଚାଷ ନ ହୋଇ ଚାଷ ହୋଇଥିବା ରିପୋର୍ଟ କଲା କିଏ ବୋଲି ପ୍ରଶ୍ନ କରିଛନ୍ତି ବସନ୍ତ। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ରାଜ୍ୟକୁ ନିରନ୍ତର ସମର୍ଥନ ଓ ସହଯୋଗ ଯୋଗାଇ ଆସୁଛନ୍ତି। ସଠିକ୍ ସମୟରେ ଚାଷୀଙ୍କ ଉତ୍ପାଦିତ କୃଷୀ ସାମଗ୍ରୀର ଉଚିତ ମୂଲ୍ୟ ପ୍ରଦାନ କରିବାକୁ ସୁନିଶ୍ଚିତ କରିଛନ୍ତି। ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ବିକେନ୍ଦ୍ରୀକରଣ କ୍ରୟ ପ୍ରଣାଳୀରେ ସଂଗ୍ରହ ପ୍ରକ୍ରିୟା ଓ ପିଡିଏସ୍ ବଢ଼ାଇ ତୃଣମୂଳ ସ୍ତରରେ ଧାନ କିଣାକୁ ପ୍ରତ୍ସାହନ ଦେଉଛନ୍ତି। ଏହାଦ୍ୱାରା ସ୍ଥାନୀୟ ଚାଷୀମାନେ ଏମ୍ଏସ୍ପିର ଲାଭ ନେଉଛନ୍ତି ।
ନକଲି ଚାଷୀ, ଠକ ବେପାରୀମାନେ ମଣ୍ଡି କର୍ମଚାରୀଙ୍କ ସହିତ ଅସାଧୁ ମେଣ୍ଟ କରି ଧାନ ବିକ୍ରି ନିମନ୍ତେ ଟୋକନ୍ ହାତେଇବା ସହ ସରକାରୀ ଏମ୍ଏସ୍ପିକୁ ହରିଲୁଟ୍ କରୁଛନ୍ତି। ସାଟେଲାଇଟ୍ ସର୍ଭେ ମାଧ୍ୟମରେ ଚଳିତବର୍ଷ ଖରିଫ୍ ଋତୁରେ ୫ ଲକ୍ଷ ୫୪ ହଜାର ୬୭୯ ଏକ ଜମି ଭୂତଜମି ବୋଲି ଚିହ୍ନ ହୋଇଛି। ମାତ୍ର ଏ ବାବଦରେ ୧୭୧୫ କୋଟି ଟଙ୍କାର ଏମଏସପି ସହାୟତା ପାଇବାକୁ ବିରାଟ ଷଡ଼ଯନ୍ତ୍ର ହୋଇଛି। ଏହି ଭୂତ ଜମି ରିପୋର୍ଟ କଲା କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଣ୍ଡା।
ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଧାନ ସଂଗ୍ରହ ପ୍ରକ୍ରିୟା ଓଡ଼ିଶାର ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ପୂର୍ବଭଳି ଟୋକନ ଲାପ୍ସ, କଟନୀ-ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ପ୍ରିୟାପ୍ରୀତି ପୋଷଣ ବିଶେଷ ଭାବରେ ଚାଷୀମାନଙ୍କ ଚିନ୍ତାର କାରଣ ହୋଇଛି। ଏହି ସବୁ ସମସ୍ୟାର ସମାଧାନ ନେଇ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ପୂର୍ବରୁ ଦେଇଥିବା ତଥ୍ୟ ଓ ସୁପାରିଶକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ଓଡ଼ିଶାର ଗରିବ ଚାଷୀମାନଙ୍କର କଲ୍ୟାଣ ପାଇଁ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ବିଜେପି ସାଂସଦ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ ଓ ସଙ୍ଗୀତା ସିଙ୍ଗେଓ ପ୍ରମୁଖ ଥିଲେ।
