ଭୁବନେଶ୍ୱର,୧୨/୧(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରୀୟ ହାରରେ(ଡିଏସିପି) ରାଜ୍ୟର ଡାକ୍ତରମାନଙ୍କୁ ଦରମା ପ୍ରଦାନ କରିବାକୁ ଦାବି କରିଛି ଓଡ଼ିଶା ମେଡିକାଲ ସେବା ସଂଘ(ଓମସା)। ନଚେତ୍ ଆସନ୍ତା ଫେବୃୟାରୀ ୧ରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓମ୍ସା ପକ୍ଷରୁ ଚେତାବନୀ ଦିଆଯାଇଛି। ହକି ବିଶ୍ୱକପ୍ ପାଇଁ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୬ ତାରିଖରେ ସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରାକୁ ଏବେ ସ୍ଥଗିତ ରଖାଯାଇଥିବା କୁହାଯାଇଛି।
ଓମ୍ସା ଭବନରେ ବୁଧବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଡା. ନାରାୟଣ ରାଉତ କହିଛନ୍ତି ଯେ, ୬ଷ୍ଠ ବେତନ କମିସନରେ ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ଏକ ସ୍ବତନ୍ତ୍ର ମାନ୍ୟତା ଦେଇ ସେମାନଙ୍କ ପାଇଁ ୨୦୦୬ ମସିହାରେ କେନ୍ଦ୍ର ସରକାର ଡିଏସିପି ପ୍ରଦାନ ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। ସେହି ଅନୁସାରେ କେନ୍ଦ୍ରୀୟ ଡାକ୍ତର ଓ ଅନ୍ୟ ୧୮ଟି ରାଜ୍ୟରେ ୪, ୯, ୧୩, ୨୦ ବର୍ଷରେ ଡାକ୍ତରମାନଙ୍କୁ ପଦୋନ୍ନତି ଦିଆଯାଉଛି। ମାତ୍ର ୨୦୧୯ ମସିହାରେ ରାଜ୍ୟ ସରକାର ଡିଏସିପି ନାମରେ ୭,୧୪,୨୧ ବର୍ଷରେ ପଦୋନ୍ନତି ବ୍ୟବସ୍ଥା କରି ଠକି ଦେଇଛନ୍ତି। ଯୁବ ଓ ଅଭିଜ୍ଞ ଡାକ୍ତରମାନେ ଲାଭ ପାଉ ନ ଥିବାରୁ ସେମାନେ ସରକାରୀ ଚାକିରି କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ତେଣୁ ରାଜ୍ୟରେ ମଧ୍ୟ କେନ୍ଦ୍ରୀୟ ହାରରେ ଡିଏସିପି ଦରମା ପ୍ରଦାନ କରଯାଉ। ୨୦୧୭ ମସିହାରେ ହୋଇଥିବା ଓଏମଏଚଏସ୍ କ୍ୟାଡରର ପୁନର୍ବିନ୍ୟାସ କରାଯାଇ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି କରାଯାଉ। ୧୦/୧୫ ବର୍ଷ ଯାଏ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଆଡ୍ହକ ଡାକ୍ତରମାନଙ୍କୁ ସ୍ଥାୟୀ କରାଯାଉ। କେବିକେ ଅଞ୍ଚଳରେ ବାଧ୍ୟତାମୂଳକ କାର୍ଯ୍ୟର ନିୟମାବଳୀ ଉଚ୍ଛେଦ କରାଯାଉ।
ଡାକ୍ତରଙ୍କ ଅବସର ବୟସ ପ୍ରଥମେ ୬୦ରୁ ୬୨ ଓ ପରେ ୬୦ରୁ ୬୫ ବୃଦ୍ଧିକୁ ସଂଘ ବିରୋଧ କରି ଆସିଛି। ଅଧିକ ବୟସର ଡାକ୍ତରମାନେ ବୟସାଧିକ କାରଣରୁ ଲୋକଙ୍କ ନିକଟରେ ସେବା ପହଞ୍ଚାଇବାରେ ବିଫଳ ହେଉଛନ୍ତି। ତେଣୁ ଅବସର ବୟସକୁ ବୃଦ୍ଧି କରାନଯାଉ। ଏହାସହ ଡାକ୍ତରମାନେ ସରକାରୀ ଛୁଟି ପାଇ ପାରୁନାହାନ୍ତି। ଅନ୍ୟ ବିଭାଗ ଭଳି ଡାକ୍ତରମାନେ କିଭଳି ସରକାରୀ ଛୁଟି ପାଇପାରିବେ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓମ୍ସାର ରାଜ୍ୟ ସାଧାରଣ ସମ୍ପାଦକ ଡାକ୍ତର ବିଶ୍ୱଜିତ ସାମଲ ଓ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ।
