ଭୁବନେଶ୍ୱର,୧୭/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟର ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଅନ୍ୟତମ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବଢ଼ିଲା ଅଡ଼ୁଆ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଶ୍ରଦ୍ଧାଞ୍ଜଳିଙ୍କୁ ଲାଗିଛି ଶକ୍ତ ଝଟକା। ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ଆସନ୍ତା ୨୪ ତାରିଖରେ ସମନ ଅନୁଯାୟୀ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛି ।

ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଶ୍ରଦ୍ଧାଞ୍ଜଳି ନିଜକୁ ପୀଡ଼ିତା ଦର୍ଶାଇ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ହାଇକୋର୍ଟ ।

ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ଉଲ୍ଲେଖ ରହିଛି। ଇଡି ପକ୍ଷରୁ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମୋଟ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରାଯାଇଛି। ଉକ୍ତ ମାମଲାରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେଇ ନାହାନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ ଯେ, ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ବ୍ଲାକମେଲ କରି ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ନିଜର ବିଶାଳ ସାମ୍ରାଜ୍ୟ ଛିଡ଼ା କରିପାରିଥିଲେ। ମାତ୍ର ସେମାନଙ୍କ ରୋଜଗାରର ମୁଖ୍ୟ ସ୍ରୋତର କ’ଣ ସେନେଇ ଇଡିକୁ ସଠିକ ତଥ୍ୟ ଦେଇ ପାରି ନ ଥିଲେ । ଏହାର ଖୁଲାସା ପାଇଁ ସେମାନଙ୍କୁ ଏକାଧିକ ଥର ରିମାଣ୍ଡରେ ଆଣି ଇଡି ଜେରା କରିବା ପରେ ସେମାନଙ୍କ ସମ୍ପତ୍ତି ଆଟାଚ ପାଇଁ ନୋଟିସ କରିଥିଲା। ଏହାପରେ ଅର୍ଚ୍ଚନାଙ୍କ ଭୁବନେଶ୍ୱର ସତ୍ୟବିହାରସ୍ଥିତ ଆଲିସାନ କୋଠାକୁ ଆଟାଚ୍‌ କରି ସାରିଛି ଇଡି। ଉକ୍ତ କୋଠାର ମୂଲ୍ୟ ପ୍ରାୟ ୩ କୋଟି ୪୦ ଲକ୍ଷ ହେବ ।

ଏହି ହାଇ ପ୍ରୋଫାଇଲ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ପୁଲିସ୍‌ ହେପାଜତରେ ଥିବା ବେଳେ ସେମାନଙ୍କ ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳି ବାହାରେ ଖୁଲମଖୁଲା ବୁଲୁଛନ୍ତି। ଏବେ ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରି ଦେଇଥିବାରୁ ତାଙ୍କୁ କେଉଁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ଉପରେ ସମସ୍ତଙ୍କ ନଜର।