ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କଲେ। ଗୁଇନ୍ଦା ବିଭାଗର ଏହା ଚରମ ବିଫଳତା। କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦିଆଯିବା ପରେ କାହାଣୀ ପରେ କାହାଣୀ ରଚନା କରାଯାଉଛି। ଅନୁସନ୍ଧାନ କେବଳ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କରାଯାଉଛି। ହତ୍ୟା ପଛର ଷଡ଼ଯନ୍ତ୍ର ଦିଗକୁ ତଦନ୍ତ କରାଯାଉନାହିଁ। ନବ ଦାସ ହତ୍ୟା ପ୍ରସଙ୍ଗରେ ଗୁରୁବାର ବିଧାନସଭାରେ ଆସିଥିବା ମୋସନ ଉପରେ ଆଲୋଚନା ବେଳେ ଏଭଳି କିଛି ଶାଣିତ ସ୍ବରରେ ବର୍ଷିଥିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟ।ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ବାରା କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ପ୍ରସଙ୍ଗରେ ଆଗତ ମୋସନ ଉପରେ ଗୁରୁବାର ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ସରଗରମ ଆଲୋଚନା ହୋଇଛି। ଆଲୋଚନା ଆରମ୍ଭ କରି ନବ ଦାସ ହତ୍ୟାକୁ ନେଇ ଗୃହରେ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ହତ୍ୟା ଷଡଯନ୍ତ୍ର ସିଧାସଳଖ ନବୀନ ନିବସରୁ ହୋଇଛି କହି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ଗୃହରେ ଜୟନାରାୟଣ କହିଛନ୍ତି ଯେ, ଜାନୁଆରି ୨୯ରେ ଜଣେ ପୁଲିସ ଏଏସ୍‌ଆଇ ନବ ଦାସଙ୍କୁ ହତ୍ୟା କଲେ ବୋଲି ସରକାରୀ ସୂତ୍ରରୁ ଜାଣିଲୁ। କିନ୍ତୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି କୁହାଯାଉଛି। ଇସିଜି ରିପୋର୍ଟ କହୁଛି ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ପରେ କାହିଁକି ଭୁବନେଶ୍ବରକୁ ଏୟାରଲିଫ୍ଟ କରାଗଲା? ଅପରପକ୍ଷେ ଗୁଳିକାଣ୍ଡ ପରେ ଝାରସୁଗୁଡ଼ା ଏସ୍‌ପି କାହା ସହ ଫୋନ୍‌ରେ କଥା ହେଉଥିଲେ? ଯଦି ସେ ସମୟରେ ନବ ଦାସ ବଞ୍ଚିଥିଲେ ତେବେ କ’ଣ ପାଇଁ ତାଙ୍କୁ ରକ୍ତ ଦିଆଗଲାନି, ଅକ୍ସିଜେନ୍, ସାଲାଇନ୍ ଦିଆଗଲାନି? ଝାରସୁଗୁଡ଼ା ବିମାନବନ୍ଦରରେ କାହିଁକି ବିନା ଚିକିତ୍ସାରେ ନବଙ୍କୁ ଏକ ଘଣ୍ଟା ରଖାଗଲା? କାହା ନିର୍ଦ୍ଦେଶରେ ନବଙ୍କୁ ଭୁବନେଶ୍ବର ଅଣାଗଲା ତାହା ତଦନ୍ତ ହେବା ଦରକାର। ଆପେ‌ାଲୋ ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ମୁଖ୍ୟମନ୍ତ୍ରୀ ହାତଯୋଡ଼ି ନମସ୍କାର କାହିଁକି କଲେ? ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେଠାରେ ହୋଇଥିବା ଇସିଜିକୁ ସାର୍ବଜନୀନ କରାଯାଉ।

ବିରୋଧୀ ଦଳ ନେତା ଆହୁରି କହିଥିଲେ ଯେ, ହତ୍ୟାକାଣ୍ଡ ଦିନଠାରୁ ସରକାରୀ କଳ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରିବାକୁ ଲାଗିପଡ଼ିଛି। ହେଲେ ଏହା ପଛରେ ଥିବା ଷଡଯନ୍ତ୍ରର କାରଣ ଖୋଜାଯାଉନି। ମୁଖ୍ୟମନ୍ତ୍ରୀ କହିଲେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜୁଡିସିଆରି ତଦନ୍ତ ହେଉଛି। ଯଦି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ତେବେ ତା’ର କାଗଜ ଗୃହରେ ଉପସ୍ଥାପନ କରନ୍ତୁ। ସିବିଆଇକୁ ତଦନ୍ତ ଭାର ଦିଆଯାଉ। ସରକାରଙ୍କ ଜଣେ ମନ୍ତ୍ରୀ କହିଲେ ବିରୋଧୀ ଦଳ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡଯନ୍ତ୍ର କରିଛନ୍ତି। ଯଦି ଆମେ ଷଡଯନ୍ତ୍ର କରିଛୁ ବୋଲି ଭାବୁଛନ୍ତି ତେବେ ଆମକୁ ବି ତଦନ୍ତ ପରିସରଭୁକ୍ତ କରାଯାଉ। ମୁଁ ଯାଜପୁର ବିଧାୟକଙ୍କ ସମେତ ଯେଉଁମାନଙ୍କ କଲ୍‌ ରେକର୍ଡ ଯାଞ୍ଚ କରିବାକୁ କହିଛି ତାହାକୁ ବି ଯାଞ୍ଚ କରାଯାଉ। ହତ୍ୟା ଦିନ ନବୀନ ନିବାସରେ କେଉଁ ମାନେ ଥିଲେ ଓ କଣ ଆଲୋଚନା ହୋଇଥିଲା? ମୋ ସୂତ୍ର କହୁଛି ନବ ଦାସଙ୍କ ହତ୍ୟାକାଣ୍ଡ ଦିନ ନବୀନ ନିବାସରେ ଜଣେ ସରକାରୀ ଅଧିକାରୀ, ବବି ଦାସ, ସୁଶାନ୍ତ ସିଂହଙ୍କୁ ନେଇ ବୈଠକ ହୋଇଥିଲା। ସେଇଠୁ ହିଁ ଷଡଯନ୍ତ୍ର ହୋଇଛି ବୋଲି ସନ୍ଦେହ କରୁଛୁ ବୋଲି ଜୟନାରାୟଣ କହିଥିଲେ। ତେବେ ଏହି ସମୟରେ ଜୟନାରାୟଣଙ୍କୁ ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ନିଜ ଆସନରେ ଛିଡ଼ାହୋଇ ବିରୋଧ କରିଥିଲେ।