ରତ୍ନ ଭଣ୍ଡାର ଖୋଲିବା ମାମଲା; ଜୁନ୍‌ ୨୬ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୭/୩(ସତ୍ୟପାଠ ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବା ଓ ଏଥିରେ ଥିବା ଶ୍ରୀଜିଉଙ୍କ ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସଂପତ୍ତିର ଯାଞ୍ଚ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ଜବାବ ଦାଖଲ ହୋଇ ନାହିଁ। ଗୁରୁବାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶର ୫ ମାସ ପରେ ବି ସତ୍ୟପାଠ ଦାଖଲ ହୋଇ ନଥିବା ଦର୍ଶାଯାଇଥିଲା।

ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଏହି ଜନସ୍ବାର୍ଥ ଆବେଦନର ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ, ଚାରି ସପ୍ତାହ ଭିତରେ ଏହି ପ୍ରସଂଗରେ ସତ୍ୟପାଠ ଦାଖଲ ପାଇଁ ୨୦୨୨, ଅକ୍ଟୋବର ୧୮ରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହା ଭିତରେ ୫ ମାସ ବିତି ଯାଇଥିଲେ ମଧ୍ୟ ଜବାବ ଦାଖଲ କରାଯାଇ ନାହିଁ। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଜୁନ୍ ୨୬ ତାରିଖ ବା ଏହା ପୂର୍ବରୁ ନିଶ୍ଚିତ ଭାବେ ଏହି ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସତ୍ୟପାଠ ଦାଖଲ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ, ଶ୍ରୀଜିଉଙ୍କ ଅଳଙ୍କାର ସୁରକ୍ଷା, ରତ୍ନଖଚିତ ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସପତ୍ତିର ଯାଞ୍ଚ ଆଦି ପ୍ରସଙ୍ଗକୁ ନେଇ ୨୦୧୮ରେ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

Related Posts