‘ଜଣେ ବ୍ୟକ୍ତି ୨ଟି ପଦବୀରେ ରହିବା ଅନୁଚିତ’; ଗେହଲଟଙ୍କ କଂଗ୍ରେସ ଅଧ୍ୟକ୍ଷ ହେବା ଚର୍ଚ୍ଚା ଭିତରେ ପାଇଲଟଙ୍କ ବୟାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଦୋଛକିରେ ଫସି ଯାଇଛନ୍ତି। ଗୋଟିଏ ପଟେ ଦଳର ଅଧ୍ୟକ୍ଷ ପଦ ପାଇଁ ଗାନ୍ଧି ପରିବାରର ଇଚ୍ଛାକୁ ସିଧାସଳଖ ଅଗ୍ରାହ୍ୟ କରିପାରୁ ନଥିବା ବେଳେ ଅନ୍ୟପଟେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦକୁ ଛାଡ଼ିବାକୁ ମନମାନୁନି। ସେପଟେ ଏନେଇ ଏକ ସାକ୍ଷାତକାର ରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସଚିନ୍ ପାଇଲଟ। ସେ କହିଛନ୍ତି ଯେ, ଜଣେ ବ୍ୟକ୍ତି ୨ଟି ପଦବୀରେ ରହିବା ଅନୁଚିତ। ଯଦି ଗେହଲଟ କଂଗ୍ରେସ ସଭାପତି ହୁଅନ୍ତି ଆପଣ ମୁଖ୍ୟମନ୍ତ୍ରୀ ହେବାକୁ ଅଭିଳାସ ରଖିଛନ୍ତି କି ? ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ନାହାନ୍ତି ସଚିନ। ସେ କହିଛନ୍ତି ଯେ, ଦଳର ହାଇକମାଣ୍ଡ ନିଷ୍ପତ୍ତି ଶିରଧାର୍ଯ୍ୟ। ଦଳ ଯାହାକୁ ଚାହିଁବ ସେ ମୁଖ୍ୟମନ୍ତ୍ରୀ ହେବ। ସେହିପରି ସଭାପତି ନିର୍ବାଚଲ ଲାଗି ନିର୍ବାଚନ ପ୍ରକ୍ରିୟା ଚାଲିଛି । ଯେ କେହିବି ଏଥିପାଇଁ ନାମାଙ୍କନ ଦାଖଲ କରିପାରିବେ। କଂଗ୍ରେସ ବିଜେପି ଭଳି ଦଳ ନୁହଁ ବୋଲି ସଚିନ କହିଛନ୍ତି।

କଂଗ୍ରେସର ସଭାପତି ପଦ ପାଇଁ ଅଶୋକ ଗେହଲଟ ଗାନ୍ଧି ପରିବାରର ପ୍ରଥମ ପସନ୍ଦ ହୋଇଥିବା ବେଳେ ସେ କିନ୍ତୁ ଏହି ପଦ ପାଇଁ ଅମଙ୍ଗ ଅଛନ୍ତି। ନିଷ୍ପତ୍ତି ନେଇ ପାରୁ ନଥିବା ଅଶୋକ ଗେହଲଟ ଗତକାଲି ବିଳମ୍ବିତ ରାତିରେ ବିଧାୟକଙ୍କ ବୈଠକ ଡାକିଥିଲେ। କିନ୍ତୁ ଏହି ବୈଠକରେ ସଚିନ ପାଇଲଟ ଯୋଗ ଦେଇ ନଥିଲେ। ଅନ୍ୟପକ୍ଷରେ ଅଶୋକ ଗେହଲଟ ରାଜସ୍ଥାନ ଛାଡ଼ିବାକୁ ରାଜି ନଥିବା ବିଶେଷ ସୂତ୍ରରୁ ଜଣାଡ଼ିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବାକୁ ଚାହୁଁଛନ୍ତି। ତେବେ ଆଜି ଅଶୋକ ଗେହଲଟ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ପାରନ୍ତି। ଏହାରି ଭିତରେ ଆଜି ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ତାଙ୍କର କୌଣସି ପଦପଦବୀ ପ୍ରତି ଲୋଭ ନଥିବା ସଚିନ କହିଛନ୍ତି। ସେ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବେ ଆଉ କୌଣସି ପଦବୀ ଚାହେଁ ନାହିଁ।

Related Posts