
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେ ବିଭିନ୍ନ ଦଳର ନେତାମାନଙ୍କ ଭେଟଘାଟ ରାଜନୀତି ସରଗରମ ହୋଇଛି । ଜୁଲାଇ ୩ରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ଏହାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆପ୍ ଓ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇପାରେ । ତେବେ ସମାଜବାଦୀ ପାର୍ଟି ଏହାକୁ ଖଣ୍ଡନ କରି କହିଛି ଯେ ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଅନୌପଚାରିକ ଥିଲା। ସପା ମୁଖପାତ୍ର ଜୁହି ସିଂ କହିଛନ୍ତି, “ସଂଜୟ ଜୀ ପୂର୍ବରୁ ଦଳ ସହିତ ଥିଲେ ଏବଂ ଦୁଇ ନେତା ଅତି ନିକଟତର । ସେମାନେ ପୂର୍ବରୁ ମଧ୍ୟ ପରସ୍ପରକୁ ଭେଟନ୍ତି । ବର୍ତ୍ତମାନ ସୁଦ୍ଧା ରାଜନୈତିକ ବିଷୟରେ କୌଣସି ଅଧିକାରୀକ ଆଲୋଚନା ହୋଇନାହିଁ।”ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି କହିଛି ଯେ ଏହା ଏକ ସୌଜନ୍ୟମୂଳକ ବୈଠକ ଥିଲା ଏବଂ ସପା ମୁଖିଆଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସଂଜୟ ସିଂ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।ଉଲ୍ଲେଖଯୋଗ୍ୟ ଯେ ଅଖିଳେଶ ଯାଦବ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ୨୦୨୨ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସପା ବଡ଼ ଦଳ ଗୁଡିକ ଠାରୁ ଦୂରେଇ ରହିବେ ଏବଂ ଛୋଟ ଦଳ ସହ ମେଣ୍ଟ କରିବେ। ଆରଏଲଡି ସମାଜବାଦୀ ପାର୍ଟି ସହ ଗଠବନ୍ଧନରେ ସାମିଲ ହେବାର ସମ୍ଭାବନା ରହିଛି। ଏହା ଉପରେ ପ୍ରତିକ୍ରିୟା ରଖି ମାୟାବତୀ ଟୁଇଟ୍ରରେ ଲେଖିଛନ୍ତି, ‘ସମାଜବାଦୀ ପାର୍ଟି ଅତ୍ୟନ୍ତ ସ୍ୱାର୍ଥପର, ବିଶେଷକରି ଦଳିତ ବିରୋଧୀ ଚିନ୍ତାଧାରା ଏବଂ କାର୍ଯ୍ୟଶୈଳୀ ପାଇଁ ଜଣାଶୁଣା। ତେଣୁ ଦେଶର ବଡ ବଡ ପାର୍ଟି ଏହା ସହ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।