ସାତ ତାଳ ପଙ୍କରୁ ପଦ୍ମର ସଫେଇ, ଏବେ ଭରସା ଫେସବୁକ

ସତ୍ୟପାଠ ବ୍ୟୁରୋ : ଚାରିଦିନ ପରେ ପ୍ରକଟ ହେଲେ କିନ୍ତୁ ପୁରା ନୁହେଁ ଅଧା । ସାତ ତାଳ ପଙ୍କରୁ ଥାଇ ଫେସବୁକରେ ଅଧା ପ୍ରକଟ ହୋଇଛନ୍ତି ପଳାତକ ଘୋଷଣା ହେବାକୁ ଯାଉଥିବା ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର । ଯେ କୌଣସି ମୂହୁର୍ତ୍ତରେ ଜିଲ୍ଲା ପୁଲିସ ତାଙ୍କୁ ପଳାତକ ଘୋଷଣା କରିପାରେ । ତେଣୁ ତା ପୂର୍ବରୁ ଆଇନଗତ ପରାମର୍ଶ ନେଇ ସୋସିଆଲ ମିଡିଆରେ ନିଜ ପକ୍ଷ ରଖି କେବଳ ଉପସ୍ଥିତି ଜଣାଇଛନ୍ତି ଓମ୍ ।

ବୁଥରେ ପଶିଲେ । ଇଭିଏମ୍ ଭାଙ୍ଗିଲେ । ପ୍ରିଜାଇଡିଂ ଅଫିସରକୁ ମାଡ ମାରିଲେ । ଆଉ ଗିରଫ ଭୟରେ ଫେରାର ରହିଲେ । ହେଲେ ତଦନ୍ତରେ ସହଯୋଗ କରିବା ବଦଳରେ ଏବେ ଫେସବୁକରେ ସଫେଇ ରଖିଛନ୍ତି ଭାରତୀୟ ଜନତା ପାର୍ଟିର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ।

ଗତ ମଙ୍ଗଳବାର ମତଦାନ ବେଳେ କଣାସ ବ୍ଲକ ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥରେ ନିଜ ସମର୍ଥକଙ୍କ ସହ ଧସେଇ ପଶି ପ୍ରିଜାଇଡିଂ ଅଫିସରକୁ ମାଡ ମାରି ଇଭିଏମ୍ ଭାଙ୍ଗି ଦେଇଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହି ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଗଡିଶାଗୋଦା ଥାନାରେ ଏକ ମାମଲା ବି ରୁଜୁ ହୋଇ ତାଙ୍କୁ ଗିରଫ ପାଇଁ ପୁଲିସ ଖୋଜୁଛି । ତେବେ ଗିରଫ ଭୟରେ ଫେରାର ଥିବା ଓମ୍ ପ୍ରକାଶ ଆଜି ନିଜ ଫେସବୁକ ପେଜ୍ ରେ ନିଜ ପକ୍ଷ ରଖିଛନ୍ତି । ସଫେଇ ଦେଇ କହିଛନ୍ତି ଯେ, ସେଠାରେ ବୁଥ ରିଗିଂ ହେଉଥିଲା ଓ ସେ ଖବର ପାଇ ସେଠାରେ ପହଂଚିଥିଲେ । ତେବେ ସେହି ଗ୍ରାମର ବିଶିଆ ପ୍ରଧାନ ନାମକ ଜଣେ ବିଜେଡି କର୍ମୀ ବୁଥ ରିଗିଂ କରୁଥିବା ବେଳେ ଓମ୍ ଏହାକୁ ବିରୋଧ କରିବାରୁ ସେଠାରେ ଗଣ୍ଡଗୋଳ ହୋଇଥିଲା । ବୁଥ ରିଗିଂ ନେଇ ଜିଲ୍ଲାପାଳ, ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ଓ ନିର୍ବାଚନ କମିଶନଙ୍କୁ ଜଣାଇଥିଲେ ବି କେହି ପଦକ୍ଷେ ନ ନେବାରୁ ଓମ୍ ଘଟଣାସ୍ଥଳରେ ପହଂଚି ଏହାର ବିରୋଧ କରିଥିବା କହିଛନ୍ତି । କେବଳ ସେତିକି ନୁହେଁ ବରଂ ତାଙ୍କୁ ସେଠାରୁ ପଳାୟନ ହେବା ପାଇଁ ବିଜେଡି କର୍ମୀ ବାଧ୍ୟ କରିଥିଲେ ଓ ତାଙ୍କ ଗାଡିରୁ ଲାଇସେନ୍ସପ୍ରାପ୍ତ ରିଭଲଭର୍ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ବିଜେଡି କର୍ମୀମାନେ ଛଡାଇ ନେଇଥିବା ଓମ୍ ପୋଷ୍ଟ କରିଥିବା ଭିଡିଓରେ କହିଛନ୍ତି ।

ତେବେ ଜିଲ୍ଲା ପ୍ରଶାସନ ଏକପାଖିଆ ଭାବେ ତଦନ୍ତ କରୁଥିବା ଓମ୍ ଅଭିଯୋଗ ଆଣିଥିବା ବେଳେ ପ୍ରିଜାଇଡିଂ ଅଫିସର କାହା ପ୍ରରୋଚନାରେ ମିଛ କହୁଛନ୍ତିି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏହି ଭିଡିଓ ମାଧ୍ୟମରେ ଓମ୍ ଦାବୀ କରିଛନ୍ତି । ସେପଟେ ଓମ୍ଙ୍କ ବିରୋଧରେ ବହୁ ସଂଗୀନ ଦଫା ଲଗାଇଛି ପୁଲିସ । ତାଙ୍କୁ ଗିରଫ କରିବା ପାଇଁ ତିନିଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ ଓମ୍ ଏବେ ବି ଫେରାର ରହିଛନ୍ତି । ତେବେ ଓମ୍ ଆତ୍ମସମର୍ପଣ ବା ଗିରଫରେ ସହଯୋଗ ନକଲେ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି କଡା ଆଭିମୁଖ୍ୟ ଶୁଣାଇଛନ୍ତି ପୁରୀ ଏସପି । ଏହି ଇଭିଏମ୍ ଭଙ୍ଗା ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି ।

ଅନ୍ୟପଟେ ବିଜେପି ନେତା ଅଭିଯୁକ୍ତ ଓମ୍ ପ୍ରକାଶଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଅଭିଯୋଗ ଆଣିଛି ବିଜେଡି । ପରାଜୟ ହେବା ଜାଣି ବୁଥରେ ପାଇ ଓମ୍ ଇଭିଏମ୍ ଭାଙ୍ଗିଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ବୁଥ୍ ରିଗିଂ ନେଇ ପ୍ରଶାସନକୁ ଖବର ଦେବା ସତ ନା ମିଛ ? ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ ଅନୁସାରେ ଓମ୍ ହିଁ ଇଭିଏମ୍ ଭାଙ୍ଗି ତାଙ୍କୁ ମାଡ ମାରିଛନ୍ତି । ପୂର୍ବରୁ ମହାରଥୀଙ୍କ ଗିରଫ ବେଳେ ବିଜେପି କହୁଥିଲା ମାଜିଷ୍ଟ୍ରେଟ ସତ କହୁଛନ୍ତି, ତେଣୁ ଏ କ୍ଷେତ୍ରରେ ପ୍ରିଜାଇଡିଂ ଅଫିସରଙ୍କୁ ବିଶ୍ୱାସକୁ ନିଆଯିବ ନାହିଁ କାହିଁକି ? ଏବଂ ଶେଷରେ ଓମ୍ ଫେରାର ରହିଲେ ହେଲେ ବୁଥ୍ ରିଗିଂ ବା ଗଣ୍ଡଗୋଳ ସମ୍ପର୍କରେ କିମ୍ବା ତାଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବନ୍ଧୁକ ଛଡାଇ ନେବା ନେଇ କେଉଁଠି ଏଫଆଇଆର ଦେଇଛନ୍ତି କି ?

Related Posts