
ଅଢ଼େଇ ଦିନରେ ୱେଷ୍ଟଇଣ୍ଡିଜ୍କୁ ହରାଇଲେ ବିରାଟ ବାହିନୀ
ରାଜକୋଟରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଟେଷ୍ଟ ଇତିହାସରେ ସବୁଠାରୁ ବଡ଼ ବିଜୟ ହାସଲ କରିଛି ଭାରତ । ମାତ୍ର ଅଢ଼େଇ ଦିନରେ ୱେଷ୍ଟଇଣ୍ଡିଜ୍କୁ ଧୂଳି ଚଟାଇ ବିରାହ ବାହିନୀ ରାଜକୋଟରେ ବହୁ ରେକର୍ଡ କରିଛନ୍ତି । ପ୍ରଥମ ଟେଷ୍ଟକୁ ୱେଷ୍ଟଇଣ୍ଡିଜ ଏକ ଇନିଂସ୍ ଏବଂ 272 ରନ୍ରେ ହାରିଯାଇଛି । ଏଥିସହ 2 ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0ରେ ଭାରତ ଆଗୁଆ ହୋଇଛି । ଗୁରୁବାର ଅସମାପ୍ତ ପ୍ରଥମ ଇନିଂସ ସ୍କୋର 6 ୱିକେଟରେ 94 ରନରୁ ଶନିବାର ସକାଳୁ ଖେଳ ଆରମ୍ଭ କରିଥିଲା ୱେଷ୍ଟଇଣ୍ଡିଜ୍ । 181 ରନରେ ଅଲ୍ଆଉଟ୍ ହୋଇଥିଲା । ଫଲୋଅନ୍ ହୋଇ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ମଧ୍ୟ ଚିତ୍ପଟାଙ୍ଗ ମାରିଥିଲା । 196 ରନରେ ଅଲଆଉଟ ହୋଇଯାଇଥିଲା ପୁରା ଟିମ୍ । ପାୱେଲ ସର୍ବାଧିକ 83 ରନ କରିଥିଲେ ବି ଅନ୍ୟ କେହି କାରବିଆନ୍ ବ୍ୟାଟସମ୍ୟାନ୍ ତିଷ୍ଠି ପାରିନଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ 5ଟି, ରବୀନ୍ଦ୍ର ଜାଡେଜା 3 ଓ ଆର୍. ଅଶ୍ବିନ 2ଟି ୱିକେଟ ନେଇଥିଲେ । ଦ୍ବିତୀୟ ଇନିଂସର ସବୁ କାରବିଆନ୍ ବ୍ୟାଟସମ୍ୟାନ୍ଙ୍କୁ ଆଉଟ୍ କରିଛନ୍ତି ଭାରତୀୟ ସ୍ପିନର । ପ୍ରଥମ ଇନିଂସରେ ଭାରତ 9 ୱିକେଟରେ 649 ରନ୍ର ବିଶାଳ ସ୍କୋର କରିଥିଲା । ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିବା ପୃ୍ଥ୍ବୀ ସ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ପୂର୍ବରୁ ଭାରତ ଗତ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ ଇନିଂସ ଓ ୨୬୨ ରନ୍ର ବିଜୟ ଥିଲା ସର୍ବବୃହତ୍ ଟେଷ୍ଟ ବିଜୟ ରେକର୍ଡ । ଏହାପୂର୍ବରୁ ୨୦୧୭ରେ ଶ୍ରୀଲଙ୍କା ବିରୋଧରେ ଇନିଂସ୍ ଓ ୨୩୯ ରନ୍ରେ ଜିତିଥିଲା ଭାରତ ।..