ସରିଲା ଭରତ-ଚୀନ ମଧ୍ୟରେ ୧୬ତମ କମାଣ୍ଡର ସ୍ତରୀୟ ବୈଠକ, ଏଲଏସିରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ନେଇ ଉଭୟ ପକ୍ଷର ସହମତି ପ୍ରକାଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଏବଂ ଚୀନ ମଧ୍ୟରେ ୧୬ତମ ଶୀର୍ଷସ୍ତରୀୟ କମାଣ୍ଡର ବୈଠକ ଚୁଶୁଲ-ମୋଲଦୋ ସୀମାରେ ଶେଷ ହୋଇଛି । ଦୁଇ ଦେଶ ମଧ୍ୟରେ ପ୍ରାୟ ୧୨ ଘଣ୍ଟା ଯାଏଁ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ଆଲୋଚନାରେ ଉଭୟ ପକ୍ଷରୁ ଏଲଏସିରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଉପରେ ସହମତି ପ୍ରକାଶ ପାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ସଂଧ୍ୟାରେ ଏହି ସୂଚନା ଦେଇଛି ।ମନ୍ତ୍ରଣାଳୟ କହିଛି, ୧୬ତମ କମାଣ୍ଡର ସ୍ତରୀୟ ଆଲୋଚନାରେ ଦୁଇ ପକ୍ଷ ମଧ୍ୟରେ ପଶ୍ଚିମ ଭାଗର ଏଲଏସି ପ୍ରସଙ୍ଗର ସମାଧାନ ପାଇଁ ସକରାତ୍ମକ ଚର୍ଚ୍ଚା ହୋଇଛି ।


ଏହି ବୈଠକରେ ଦୁଇ ପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଏହି ଆଲୋଚନା ପଶ୍ଚିମ ଭାଗର ଏଲଏସି ରେ ଶାନ୍ତି ସ୍ଥାପନ କରିବାରେ ସହାୟକ ହେବ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରଗତିକୁ ସକ୍ଷମ କରାଯାଇ ପାରିବ । ଏହାସହ ବାକି ଥିବା ଶେଷ ପ୍ରସଙ୍ଗକୁ ପାରମ୍ପାରିକ ରୂପରେ ସମାଧାନ କରିବାକୁ ସହମତି ପ୍ରକାଶ ପାଇଛି ।

ସୂଚନା ଅନୁସାରେ ୨୦୨୦ ମେ ମାସରୁ ପୂର୍ବ ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି । ଭାରତ ଏବଂ ଚୀନ ପୂର୍ବ ଲଦାଖରେ ଜାରି ଗତିରୋଧକୁ ସମାଧାନ କରିବା ପାଇଁ ଅନେକ ପର୍ଯ୍ୟାୟରେ ସୈନ୍ୟ ଏବଂ କୂଟନୈତିକ ବୈଠକ କରିଛନ୍ତି । ଦୁଇ ପକ୍ଷ ମଧ୍ୟରେ କୂଟନୈତିକ ଏବଂ ସୈନ୍ୟ ଆଲୋଚନାର ପରିମାଣ, କିଛି ଅଞ୍ଚଳରୁ ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ପକ୍ଷରୁ ଏଲଏସିର ସମ୍ୱେଦନଶୀଳ ସେକ୍ଟରେ ପ୍ରାୟ ୫୦ରୁ ୬୦ ହଜାର ସୈନିକ ମୁତୟନ ରହିଛନ୍ତି।

Related Posts