କମୁଛି ହୀରାକୁଦ ଜଳସ୍ତର, ଏତେ ତଳକୁ ଖସିବା ଇତିହାସରେ ପ୍ରଥମ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜୟ ମହାପାତ୍ର

ଭୁବନେଶ୍ୱର,୨୫/୩ (ସତ୍ୟପାଠ ବ୍ୟୁରୋ): ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ କ୍ଷୋଭ। ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କଲେ ବିଜୟ। ସେ କହିଛନ୍ତି, ହୀରାକୁଦ ଇତିହାସରେ ଏମିତି ସଙ୍କଟ ପ୍ରଥମ ଥର ଦେଖାଦେଇଛି। ଜଳସ୍ତର ଏତେ ତଳକୁ ଚାଲିଯିବ କେହି ଅନୁମାନ କରିନଥିବେ। ଏହା ଦ୍ଵାରା ୧୪ରୁ ୧୫ ଜିଲ୍ଳା କ୍ଷତିଗ୍ରସ୍ତ ହେବ। ସରକାରଙ୍କ ପାଖରେ ଏମିତି ସମସ୍ୟା ନେଇ ଖବର ନଥିଲା କେମିତି ବୋଲି ପ୍ରଶ୍ନ କଲେ ବିଜୟ ମହାପାତ୍ର।

ବିଜୟ କହିଛନ୍ତି ଯେ, ଏବେ ହୀରାକୁଦରେ ଜଳ ସ୍ତର ୬୧୬.୬୯ ଫୁଟ୍ ରହିଛି। ଗତବର୍ଷ ଏହା ୬୨୧.୫ ଫୁଟ୍ ଥିଲା। ୪ ଦିନ ତଳେ ୬୧୭.୫୧ ଫୁଟ୍ ଜଳ ଥିଲା। ଅର୍ଥାତ ୪ ଦିନରେ ଗୋଟିଏ ଫୁଟ୍ କମୁଛି ଜଳସ୍ଥର। ଯଦି ଏହି ହାରରେ ପାଣି କମେ ତେବେ ମେ’ ଶେଷ ବେଳକୁ ୬୦୦ ଫୁଟରେ ଜଳସ୍ଥର ପହଞ୍ଚିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଆଉ ୬୦୦ ଫୁଟରେ ପହଞ୍ଚିଲେ ପିଇବା ପାଣି, ଚାଷ ପାଣି ସମସ୍ୟା ସହିତ ସହ ବିଜୁଳି ଉତ୍ପାଦନ ବନ୍ଦ ହେବାର ଆଶଙ୍କା ରହିଛି। ପୁର୍ବରୁ ହୀରାକୁଦ କୁ ୧୨ ହଜାରରୁ ୧୫ ହଜାର କ୍ୟୁସେକ ଜଳ ଆସୁଥିଲା ହେଲେ ଏବେ ମାତ୍ର ୪୮୫ କ୍ୟୁସେକ ପାଣି ଆସୁଛି। ଏହା ପରେ ସନ୍ ଲସ୍ ହେଉଛି ୮୧୫ କ୍ୟୁସେକ।

ଟ୍ରିବୁନାଲ ଗଠନକୁ ୭ ବର୍ଷ ହୋଇଗଲା। ୧.୨୫୨ ମିଲିୟନ ଏକର ପାଣି ଦିଆଯିବା ପାଇଁ ଦାବି ଥିଲା କିନ୍ତୁ ଟ୍ରିବୁନାଲ ନିଷ୍ପତ୍ତି ନେଲା ନାହିଁ। ଟ୍ରିବୁନାଲ ଅନ୍ତରୀଣ ରିଲିଫ୍ ଦେଲେ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର। ତେବେ ସରକାରଙ୍କ ଠାରୁ ନ୍ୟାୟ ପାଇଁ ଅପେକ୍ଷା ନକରି, ଯେତେବେଳେ ଛତିଶଗଡ଼ ସରକାର ଯଦି କିଛି ପାଣି ଛାଡିବେ ତାହେଲେ କିଛି ସମାଧାନ ହେବ ବୋଲି ବିଜୟ କହିଛନ୍ତି। ଛତିଶଗଡ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଥମ ପ୍ରଭାବ ଓଡ଼ିଶାରେ ଏବେ ପଡୁଛି। ଡ଼ିସେମ୍ବରରୁ ଏ ସମସ୍ୟା ଆରମ୍ଭ ହେଲାଣି ଏବେ ମାର୍ଚ୍ଚ ହେଲାଣି। ସରକାର ସବୁ ଜାଣି ମଧ୍ୟ ନିରବ। ଆଉ ମେ’ ମାସ ବେଳକୁ କଣ ହେବ ଅନୁମାନ କରିବା ମୁସ୍କିଲ ବୋଲି ବିଜୟ କହିଛନ୍ତି।

ଜୁନ୍ ମାସରେ ହୀରାକୁଦ ଡେଡ୍ ଷ୍ଟୋରେଜ ଳେବୁଲ୍ ହୋଇଯିବ। ୭ ବର୍ଷ ଭିତରେ ସରକାର ଚାହିଁଥିଲେ ୨ରୁ ୩ଟି ବ୍ୟାରେଜ କରିପାରି ଥାନ୍ତେ। ୪୦ ପ୍ରତିଶତ ଅଣ ମୌସୁମୀ ସମୟରେ ମ୍ୟାନେଜ୍ କରାଯାଇ ପାରିଥାନ୍ତା। ରାଜ୍ୟ ସରକାର ସବୁ ଜାଣି କେମିତି ନୀରବ ରହିଲେ ବୋଲି ଟାର୍ଗେଟ କରିଛନ୍ତି ବିଜୟ। ଏତେ ବଡ ସମସ୍ୟାକୁ ସରକାର ଗୁରୁତର ସହ ନନେଇ କାହିଁକି ଖାମଖିଆଲ ଭାବେ ନେଲେ, ତାହା ସବୁଠୁ ଆଶ୍ଚର୍ଯ୍ୟକର କଥା। ବିଧାନସଭାରେ ସବୁ ଦିଗକୁ ନେଇ ସଦସ୍ୟ ମାନେ ଆଲୋଚନା କରନ୍ତୁ। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି ରଖିଛନ୍ତି ବିଜୟ ମହାପାତ୍ର।

Related Posts