ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରତିବାଦରେ ଦେଶବ୍ୟାପୀ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର,୨୬/୩ (ସତ୍ୟପାଠ ବ୍ୟୁରୋ): ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ରାହୁଲଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବିରୋଧ କରି ଆଜି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଦିନିକିଆ ସତ୍ୟାଗ୍ରହ କରିଛନ୍ତି । ଦିଲ୍ଲୀ ସହ ବିଭିନ୍ନ ରାଜ୍ୟରେ ସଂକଳ୍ପ ସତ୍ୟାଗ୍ରହ କରାଯାଇଛି । ଦିଲ୍ଲୀ ସତ୍ୟାଗ୍ରହରେ କଂଗ୍ରେସ ନେତା ବିଜେପି ସରକାରକୁ ଜୋରଦାର ସମାଲୋଚନା କରିଛନ୍ତି ।

ଦିଲ୍ଲୀରେ ଆୟୋଜିତ ସଂକଳ୍ପ ସତ୍ୟାଗ୍ରହରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ସଂସଦରେ ସହିଦଙ୍କ ପିତାଙ୍କୁ ଅପମାନିତ କରାଯାଉଛି । ସହିଦଙ୍କ ପୁଅକୁ ଅପମାନିତ କରି ମୀର ଜାଫର କୁହନ୍ତି । ମୋ ମାଆଙ୍କ ଅପମାନ କରନ୍ତି, ପଚାରନ୍ତି ପିତା କିଏ ? ଆପଣଙ୍କ ପ୍ରଧାନମନ୍ତ୍ରୀ ଗାନ୍ଧୀ ପରିବାର ପାଇଁ କୁହନ୍ତି ଏମାନେ କାହିଁକି ନେହୁରୁଙ୍କ ନାଁ (ସାଙ୍ଗିଆ)କୁ ବ୍ୟବହାର କରୁ ନାହାଁନ୍ତି । ସେତେବେଳେ ତ ଆପଣଙ୍କ ବିରୋଧରେ ମାମଲା ହୁଏ ନାହିଁ, କି ଆପଣ ଅଯୋଗ୍ୟ ହୁଅନ୍ତି ନାହିଁ ବୋଲି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା।

ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ରାହୁଲ ଗାନ୍ଧୀ ନା କାହା ଆଗରେ ମୁଣ୍ଡ ନୁଆଁନ୍ତି ନା କାହାରିକୁ ଡରନ୍ତି । ତାଙ୍କ ବିରୋଧରେ ନିଆ ଯାଇଥିବା ସବୁ ନିଷ୍ପତ୍ତି ଭାରତ ଯୋଡ଼ ଯାତ୍ରା ପାଇଁ ନିଆଯାଇଛି । କଣ ନିରବ ମୋଦି ଓବିସି ଅଟନ୍ତି ? କଣ ମେହୁଲ ଚୋକସି ଓବିସି କି ? କଣ ଲଳିତ ମୋଦି ଓବିସି କି ? ଏମାନେ ସବୁ ପଳାତକ, ସେମାନଙ୍କ ନାଁରେ କହିଲେ ଆପଣଙ୍କୁ କାହିଁକି ବାଧୁଛି ? ରାହୁଲ ଗାନ୍ଧୀ ମଧ୍ୟ ସେୟା କହିଥିଲେ ଏମାନେ ବ୍ୟାଙ୍କରୁ ଟଙ୍କା ନେଇ ପଳାଇଛନ୍ତି ।

ଖଡ଼ଗେ ଆହୁରି କହିଛନ୍ତି, ସମ୍ବିଧାନ ଆମକୁ କହିବାର ସ୍ୱାଧୀନତା ଦେଇଛି । କହିବାର ସ୍ୱାଧୀନତାକୁ ବଞ୍ଚାଇ ରଖିବା ଲାଗି ଆମେ ଲଢ଼ିବୁ । ରାହୁଲ ଗାନ୍ଧୀ ପୂରା ଦେଶ ପାଇଁ ଲଢ଼େଇ କରୁଛନ୍ତି । ଯୁବବର୍ଗ ଓ ମହିଳାଙ୍କ ପାଇଁ ଲଢ଼ୁଛନ୍ତି ରାହୁଲ ଗାନ୍ଧୀ । ଆମକୁ ଦବାଇବା ପାଇଁ ପ୍ରୟାସ ହେବ, ଆମେ ମୁହଁତୋଡ଼ ଜବାବ ଦେବୁ ବୋଲି ସେ କହିଛନ୍ତି ।

ତେବେ କେବଳ ଦିଲ୍ଲୀରେ ନୁହେଁ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ନେତା ଓ କର୍ମୀମାନେ ଗାନ୍ଧୀ ପ୍ରତିମା ସାମ୍ନାରେ ବସି ସଙ୍କଳ୍ପ ସତ୍ୟାଗ୍ରହ କରିଛନ୍ତି। ସେପଟେ ସୋମବାର ଠାରୁ କଂଗ୍ରେସ ଦେଶବ୍ୟାପୀ ସମ୍ବିଧାନ ବଚାଓ ଅଭିଯାନ ମଧ୍ୟ ଆରମ୍ଭ କରିବ ବୋଲି ସୂଚନା ମିଳିଛି।

Related Posts