ଭୁବନେଶ୍ୱର,୧୨/୧୨(ସତ୍ୟପାଠ ବ୍ୟୁରୋ): ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାରଦିନ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । କିନ୍ତୁ ଅନ୍ୟ ଆକ୍ରମଣ ଅପେକ୍ଷା ଏହି ଆକ୍ରମଣ ତାଲିବାନକୁ ଅଧିକ ଚିନ୍ତାରେ ପକାଇଦେଇଛି । କାରଣ ଏଥର ଚୀନ ନାଗରିକ ରହୁଥିବା ଏକ ଚାଇନିଜ୍ ହୋଟେଲ ଉପରେ ଆକ୍ରମଣ ହୋଇଛି, ଯେଉଁଥିରେ କିଛି ଚୀନର ଲୋକ ମୃତ୍ୟୁବରଣ କରିଥିବା ସଂଦେହ କରାଯାଉଛି ।

ଆଫଗାନିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ କାବୁଲର ସହର-ଇ ନାଉ ଅଂଚଳରେ ଥିବା ଏକ ହୋଟେଲ ଉପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ହୋଟେଲରେ ଅଧିକାଂଶ ସମୟ ଚୀନର ନାଗରିକମାନେ ରହୁଥିବାରୁ ଏହାକୁ ଚାଇନିଜ୍ ହୋଟେଲ କୁହାଯାଏ । ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ସୋମବାରଦିନ ଏହି ହୋଟେଲରେ ପ୍ରଥମେ ଏକ ବିସ୍ଫୋରଣ ହୋଇଥିଲା ଓ ପରେ ଗୁଳି ଚାଳନା ଶବ୍ଦ ଶୁଣାଯାଇଥିଲା । ଆତଙ୍କବାଦୀମାନେ ପ୍ରଥମେ ବୋମା ବିସ୍ଫୋରଣ କରିବା ପରେ ହୋଟେଲ ଭିତରେ ପ୍ରବେଶ କରି ଗୁଳି ଚଳାଇଥିବା କେତେକ ସ୍ଥାନୀୟ ସାମ୍ବାଦିକ କହିଛନ୍ତି ।

ସୂଚନା ଅନୁଯାୟୀ, ଆକ୍ରମଣକାରୀ ଗୁଳି ଫୁଟାଇ ହୋଟେଲ୍‌ ଭିତରକୁ ପଶିଥିଲେ। ଲୋକଙ୍କୁ ହୋଟେଲ୍‌ ଭିତରେ କେମିତି ବନ୍ଦୀ ରଖାଯାଇ ପାରିବ ସେହି ଉଦ୍ଦେଶ୍ୟରେ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ଆଫଗାନିସ୍ତାନର ରାଜଧାନୀ କାବୁଲର ଏହି ହୋଟେଲ୍‌ରେ ଚୀନ ଅଧିକାରୀ ଏବଂ ବ୍ୟବସାୟୀ ସର୍ବଦା ଯିବା ଆସିବା କରିଥାନ୍ତି।

ଆକ୍ରମଣରେ ହୋଟେଲ୍‌ର ଏକ କୋଠରୀରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସାମ୍ବାଦିକ ଆକ୍ରମଣର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ହୋଟେଲ୍ ଭିତରେ କିଛି ଆକ୍ରମଣକାରୀ ଗୁଳି ମାଡ କରିଥିବା କହିଛନ୍ତି।

ତେବେ ଏହା ପୂର୍ବରୁ ଡିସେମ୍ଵର ମାସ ଆରମ୍ଭରେ କାବୁଲ୍ ସ୍ଥିତ ପାକିସ୍ତାନୀ ଦୂତାବାସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା।