(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା ବିଧାନସଭାକୁ ନେଇ ନେଇ ଉତ୍ତରପ୍ରଦେଶ ରଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏନେଇ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବଡ ପଦକ୍ଷେପ ନେଇଛନ୍ତି । ତେବେ ଦେଶରେ ଦିନକୁ ଦିନ ବଢୁଥିବା ବେକାରୀ ସମସ୍ୟା ଓ ଆକାଶ ଛୁଆଁ ତୈଳ ଦରକୁ ନେଇ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସରକାରଙ୍କ ବିରୋଧରେ ସାଇକେଲ ରାଲି କରିଛନ୍ତି । ଲକ୍ଷ୍ନୌ ପାର୍ଟି ହେଡକ୍ୱାଟର ଠାରୁ ରାଲି ଆରମ୍ଭ କରି ଜନେଶ୍ୱର ମିଶ୍ର ପାର୍କ ପର୍ଯ୍ୟନ୍ତ ରାଲି କରିବାର ସୂଚନା ମିଳିଛି । ଏହା ସହ ଏହି ରାଲିକୁ ତାଙ୍କ ପତ୍ନୀ ଡିଂପଲ ଯାଦବ ଶୁଭାରମ୍ଭ କରିବେ ।
ତେବେ ଆମେ ଉତ୍ତରପ୍ରଦେଶର ନୂଆ ରୂପ ପ୍ରସ୍ତୁତ କରିବା ପାଇଁ ଚାହୁଁଛୁ । ଏହା ସାଙ୍ଗକୁ ଯେଉଁମାନେ କରୋନାରେ ପ୍ରାଣ ହରାଇଛନ୍ତି ତାଙ୍କୁ ମଧ୍ୟ ମନେପକାଇ ଏହି ରାଲି କରୁଛୁ ବୋଲି ଅଖିଳେଶ ଯାଦବ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଏହା ସହ ସରକାରଙ୍କ ଅବହେଳା ଯୋଗୁଁ ସାରା ରାଜ୍ୟରେ କରୋନା ଅଧିକ ବ୍ୟାପିଥିଲା । ଏବଂ ଯେଉଁମାନେ କରୋନାରେ ଜୀବନ ହାରାଇଛନ୍ତି ତାଙ୍କ ପାଇଁ ସରକାର ହିଁ ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନର ଶାସକ ଦଳ ସମସ୍ତ ଜିନିଷରେ ନିଜର ବିଫଳତା ଲୁଚେଇବାରେ ଲାଗିଛନ୍ତି ।
ଏପରିକି ସାରା ଦେଶରେ ଅମ୍ଳଜାନ ସଙ୍କଟ ଦେଖାଦେଇଥିବା ବେଳେ ସରକାର ହସ୍ପିଟାଲ ଗୁଡିକୁ ଅମ୍ଳଜାନ ମଧ୍ୟ ଯୋଗାଇ ପାରିନଥିଲେ । ଏସବୁକୁ ସରକାର ଯେତେ ଚେଷ୍ଟା କରି ଲୁଚେଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ରାଜ୍ୟବାସୀ ଏହାକୁ କେବେ ସମର୍ଥନ କରିବେ ନାହିଁ ଏବଂ ଆଗାମୀ ନିର୍ବାଚନରେ ଏହାର ଜବାବ ଜନତା ଜନାର୍ଦ୍ଧନ ଦେବେ ବୋଲି ଅଖିଳେଶ ଯାଦବ କହିଛନ୍ତି । ଅପରିପକ୍ଷେ ନିର୍ବାଚନ ପାଖେଇ ଆସିଲେ ଭାରତୀୟ ଜନତା ପାର୍ଟିକୁ କାହିଁକି ହିନ୍ଦୁ, ମୁସଲମାନଙ୍କ କଥା ମନେ ପଡେ ବୋଲି ପ୍ରଶ୍ନ କରିଛନ୍ତି । ସରକାରଙ୍କ ଭୋଟ ପାଇଁ ଏପରି ରାଜନୀତି ବେଶ ନିନ୍ଦନୀୟ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯୋଗୀ ସରକାର ସାରା ରାଜ୍ୟରେ ଅପରାଧିଙ୍କ ସଂଖ୍ୟା ବଢେଇଦେଇଥିବା ଭଳି ସଙ୍ଗୀନ ଆରୋପ ଲଗାଇଛନ୍ତି ।
ସବୁଠାରୁ ବିଡମ୍ବନାର ବିଷୟ ଏହା ଯେ ପଞ୍ଚାୟତ ନିର୍ବାଚନରେ ଅଧ୍ୟାପକଙ୍କ ବଳି ଦେବାରେ ବିଜେପି ନମ୍ବର ୱାନ, ରାଜ୍ୟରେ ରୋଜଗାର ପାଇଁ ଦାବି କରୁଥିବା ବ୍ୟକ୍ତିଙ୍କ ଉପରେ ଲାଠି ଚାର୍ଜ କରିବାରେ ବିଜେପି ନମ୍ବର ୱାନ । ଏହା ଛଡା ସବୁଠାରୁ ରୋଚକ କଥାଟି ହେଉଛି ମୁଖ୍ୟମନ୍ତ୍ରୀଙ୍କୁ ଲ୍ୟାପଟପ ଚଳାଇବା ଆସେ ନାହିଁ ନହେଲେ ସେ ପ୍ରତ୍ୟେକ ନିର୍ବାଚନରେ ଲ୍ୟାପଟପ ବାଣ୍ଟିବାକୁ ମଧ୍ୟ ପଛେଇ ନଥାନ୍ତେ ବୋଲି ଅଖିଳେଶ ଯାଦବ ଆରୋପ ଲଗାଇଛନ୍ତି । ନିର୍ବାଚନ ସମୟରେ କୃଷକଙ୍କ ଆୟକୁ ଦୁଇ ଗୁଣା କରିଦେବାର ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ନ ହୋଇ ଦେଶରେ ବର୍ତ୍ତମାନ କୃଷକଙ୍କ ଅବସ୍ଥା କଣ ରହିଛି ତାହା ସମସ୍ତଙ୍କୁ ଜଣା ବୋଲି କହିଥିଲେ । ଦିନକୁ ଦିନ ସାରା ଦେଶରେ ବେକାରୀ ସମସ୍ୟା ବଢିବାରେ ଲାଗିଛି ।
ଏପରିକି ତୈଳ ଦର ବର୍ତ୍ତମାନ ଆକାଶ ଛୁଆଁ ହେବାରେ ଲାଗିଛି । ଏ ସବୁ ଦେଶରେ କାହିଁକି ହେଉଛି ଏହାର ଜବାବ ବିଜେପି ସରକାରଙ୍କୁ ଦେବା ପାଇଁ ପଡିବ ବୋଲି ଅଖିଳେଶ କହିଥିଲେ । ଏହା ସହ ଟୋକିଓ ଅଲମ୍ପିକରେ ପଦକ ଜିତିଥିବା ଖେଳାଳୀମାନଙ୍କୁ ଅଖିଳେଶ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟପଟେ ସରକାରଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଆଜି ସମାଜବାଦି ପାର୍ଟି ଏକ ବିଶାଳ ସାଇକେଲ ରାଲି କରୁଛି ବୋଲି ଅଖିଳେଶ କହିଥିଲେ ।
