‘ଅମିତ ଶାହଙ୍କ ଭାଷଣ କମେଡି ଶୋ ଭଳି ଲାଗୁଥିଲା’: ତେଜସ୍ଵୀ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ୨ଦିନିଆ ବିହାର ଗସ୍ତ କରିଛନ୍ତି। ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିବା ପରେ ଏହା ଅମିତ ଶାହଙ୍କ ପ୍ରଥମ ବିହାର ଗସ୍ତ। ଏହି ଅବସରରେ ସେ ବିହାରର ପୂର୍ଣିଆ ଠାରେ ଏକ ଜନସଭାକୁ ସମ୍ବୋଧିତ କରି ବିହାରର ନୂଆ ମହାମେଣ୍ଟ ସରକାର ଓ ନୀତିଶ କୁମାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଏହାପରେ ଅମିତ ଶାହଙ୍କ ଭାଷଣକୁ ନେଇ ମୁହଁ ଖୋଲିଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ କହିଛନ୍ତି ଶାହଙ୍କ ଭାଷଣ କମେଡି ଶୋ ଭଳି ଲାଗୁଥିଲା। ସେ କାହାକୁ ଭୟଭୀତ କରିବାକୁ ଏଠାକୁ ଆସିଛନ୍ତି ? ବୋଲି ତେଜସ୍ୱୀ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଗୃହମନ୍ତ୍ରୀ ଭାଷଣ ସମୟରେ ଯେଉଁ ଭାଷା, ଶୈଳୀ ବ୍ୟବହାର କରୁଥିଲେ ଲାଗୁଥିଲା ମୁଁ ଭାଷଣ ନୁହେଁ କମେଡ଼ି ଶୋ ଦେଖୁଛି। ସେ ଦରଦାମ ବୃଦ୍ଧି, ବେରୋଜଗାରୀ ଉପରେ କିଛି କହିନଥିଲେ। ସେ ଖାଲି ମିଛ କହି ମାହୋଲ ଗଡ଼ବଡ଼ କରିବାକୁ ଚେଷ୍ଟା କରିବେ ଓ କହିବେ ବିହାରରେ ଜଙ୍ଗଲ ରାଜ ଚାଲିଛି। ସେ ଦେଶର ଗୃହମନ୍ତ୍ରୀ କିନ୍ତୁ ସେପରି ଦେଖାଯାଉଥିଲେ କି? ବୋଲି ତେଜସ୍ଵୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ମୋ ପାଇଁ ସେ ଜଣେ ରାଜନୈତିକ ନେତା କିମ୍ବା ଗୃହମନ୍ତ୍ରୀ ନୁହଁନ୍ତି। ସେ କିପରି ଦେଖାଯାଉଥିଲେ ତାହା ମୁଁ କହିବାକୁ ଚାହେଁ ନାହିଁ ବୋଲି କହିଛନ୍ତି ତେଜସ୍ୱୀ।

ସୂଚନାଯୋଗ୍ୟ ଯେ, ବିହାରରେ ଗତକାଲି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆରଜେଡ଼ି ଓ କଂଗ୍ରେସ ସହ ହାତ ମିଳାଇ ବିଜେପି ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ଶାହ ଦାବି କରିଛନ୍ତି ଯେ ଆଗାମୀ ନିର୍ବାଚନରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ ସରକାର ଗଠନ କରିବ। ଏହାସହ ନୀତିଶଙ୍କର କୌଣସି ଆଦର୍ଶ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

Related Posts