ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟଙ୍କ ଗିରଫ ଉପରେ ଅନ୍ତରୀଣ ରହିତାଦେଶ ଜାରି

ନୂଆଦିଲ୍ଲୀ :ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟଙ୍କ ଗିରଫ ଉପରେ ଅନ୍ତରୀଣ ରହିତାଦେଶ ଜାରି ହୋଇଛି । ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏହି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ପାଟନା ହାଇକୋର୍ଟରେ ତାଙ୍କର ଶୁକ୍ରବାର ବ୍ୟକ୍ତିଗତ ହାଜିର ହେବାର ଥିଲା। ତେବେ ସେ ନ ଆସିବାରୁ କୋର୍ଟ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲୁ) ଜାରି କରିଥିଲେ। ତେବେ ଏହା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି।

ପାଟନା ହାଇକୋର୍ଟ ରାୟଙ୍କ ବ୍ୟକ୍ତିଗତ ହାଜର ଲାଗି ସମନ ଜାରି କରିଥିଲେ। ତେବେ ରାୟ ଅସୁସ୍ଥତା କାରଣରୁ ଭର୍ଚୁଆଲ ହାଜର ହେବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲେ ବି ତାହା ଗ୍ରହଣ ହୋଇନଥିଲା। ଏଣୁ ବ୍ୟକ୍ତିଗତ ହାଜର ଲାଗି ତାଙ୍କ ଓକିଲଙ୍କୁ ଜଣାଇ ଦିଆଯାଇଥିଲେ ବି ସେ ହାଜର ନ ହେବାରୁ କୋର୍ଟ ଏନବିଡବ୍ଲୁ ଜାରି କରିଥିଲେ।

ପରେ ପାଟନା ହାଇକୋର୍ଟଙ୍କ ଗିରଫ ପରୱାନା ଉପରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଆବେଦନ କରାଯାଇଥିବା ବେଳେ ତତ୍କାଳ ରୋକ ଲଗାଇ ଦିଆଯାଇଛି।

ସାହାରା ଇଣ୍ଡିଆର ୨ହଜାରରୁ ଅଧିକ ଜମାକାରୀ ନିଶ୍ଚିତ ଅବଧିରେ ଜମା ଟଙ୍କା ଫେରସ୍ତ ନ ପାଇବାରୁ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି। ମାମଲାର ଶୁଣାଣିରେ କୋର୍ଟ ସାହାରା ଇଣ୍ଡିଆ ମୁଖ୍ୟଙ୍କୁ କୋର୍ଟରେ ହାଜର ହୋଇ ଲୋକଙ୍କ ଜମାରାଶି ଫେରାଇବା ନେଇ ପଦକ୍ଷେପ ନେବାକୁ ସମନ ଜାରି କରିଥିଲେ। ତେବେ ଏକ ଅସ୍ତ୍ରୋପଚାର ପରେ ଅସୁସ୍ଥ ସୁବ୍ରତ ରାୟ କୋର୍ଟରେ ହାଜର ହୋଇପାରିବେ ନାହିଁ ଓ ଭର୍ଚୁଆଲ ହାଜର ହେବାକୁ ନିବେଦନ କରିଥିଲେ । ମାତ୍ର କୋର୍ଟ ତାଙ୍କ ଆବେଦନ କୁ ଖାରଜ କରିଥଲେ ।

Related Posts