ପୁଣି ଦାନାବାନ୍ଧିଲାଣି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଦାନାବାନ୍ଧିଲାଣି ଆଉ ଏକ ଲଘୁଚାପ | ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ଏବେ ମୁଣ୍ଡ ଟକିଲାଣି । ଚଳିତ ମାସ ୧୯ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହୋଇପାରେ ।

ଗୋଟିଏ ଲଘୁଚାପ ଓ ଚଳିତ ବାତ୍ୟା ଭୟ ଯିବାର ସପ୍ତାହେ ନପୂରୁଣୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଉ ଏକ ଲଘୁଚାପ ସୃଷ୍ଟିହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଅଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ଏହାର ନିକଟବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ସେପଟେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ୧୯ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହେବାକୁ ଯାଉଥିବା ଲଘୁଚାପ ମୌସୁମୀ ସକ୍ରିୟ କରିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

ଅନ୍ୟପଟେ, ଚଳିତବର୍ଷ ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ । ସମ୍ଭବତଃ ଆସନ୍ତା ୨୭ ତାରିଖବେଳକୁ କେରଳ ଛୁଇଁବ। ଏମିତି ଆକଳନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ଓଡ଼ିଶାକୁ ବି ମୌସୁମୀ ଆଗୁଆ ଆସିପାରେ । ଜୁନ୍‌ ପ୍ରଥମ ସପ୍ତାହରେ (ଜୁନ୍‌ ୫-୬) ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ମାଟିକୁ ଭିଜାଇବ ବୋଲି ଅନୁମାନ କରାଯାଉଛି ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ଜୁନ୍‌ ୩/୪ ତାରିଖବେଳକୁ ରାଜ୍ୟରେ ତାପମାତ୍ରା କମିବା ସମ୍ଭାବନା ପରିଲକ୍ଷିତ ହେଉଛି । ଅନୁମାନ କରାଯାଉଛି, ସେତେବେଳେ ମୌସୁମୀ ପାଇଁ ପାଗ ଅନୁକୂଳ ରହିବ । ତେଣୁ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁପାରେ । ଦେଶର କୃଷି ଭିତ୍ତିକ ଅର୍ଥନୀତିର ଜୀବନରେଖା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ ତାରିଖବେଳକୁ କେରଳରେ ପହଞ୍ଚିଥାଏ । ମାତ୍ର ଏ ବର୍ଷ ୪ ଦିନ ଆଗୁଆ ଆସିପାରେ । ସେହିଭଳି ଆସନ୍ତା ୨-୩ ଦିନ ଭିତରେ ଅର୍ଥାତ ୧୫ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ପହଞ୍ଚିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି ।

Related Posts