ବିଜେପି ବିରୋଧରେ ଆପର ସାଙ୍ଘାତିକ ଅଭିଯୋଗ; ‘ଅପରେସନ ଲୋଟସ’ ମାଧ୍ୟମରେ ଦିଲ୍ଲୀ ସରକାର ଭାଙ୍ଗିବାକୁ ହେଉଥିଲା ଚେଷ୍ଟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଦିଲ୍ଲୀର କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)। ଦଲ୍ଲୀରେ ଆପ୍‌ ସରକାରକୁ ଭାଙ୍ଗିବା ପାଇଁ ବିଜେପି ‘ଅପରେସନ ଲୋଟସ’ ଆରମ୍ଭ କରିଛି। ଏଥିପାଇଁ ଆପ୍‌ର ବିଧାୟକମାନଙ୍କୁ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବା ପାଇଁ ୫ କୋଟି ଟଙ୍କା ଲେଖାଏ ଅଫର ଦିଆଯାଉଛି।ଏହାର ପ୍ରମାଣ ଦଳ ପାଖରେ ଅଛି ଓ ଏନେଇ ଖୁବଶୀଘ୍ର ଆପ୍‌ ବଡ଼ ମଞ୍ଚଳରେ ଖୁଲାସା କରିବ ବୋଲି ଆଜି ଘୋଷଣା କରିଛି। ତେବେ ଦିନକ ପୂର୍ବରୁ ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଫସିଥିବା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ମନୀଷ କହିଥିଲେ ଯଦି ସେ ଆପ୍‌ ଛାଡ଼ିବେ, ତା’ହେଲେ ତାଙ୍କ ନାଁରେ ସିବିଆଇ ଓ ଇଡି ରୁଜୁ କରିଥିବା ମାମଲା ପ୍ରତ୍ୟାହାର କରାଯିବ ଏବଂ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ଅଫର ଦେଇଛି। ଏହାର ପ୍ରମାଣ ମଧ୍ୟ ଆପ୍‌ ନିଜ ପାଖରେ ରଖିଥିବା ସେ ଦାବି କରିଛନ୍ତି।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ଆପ୍‌ ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି, “ଆମ ବିଧାୟକମାନଙ୍କୁ ୫ କୋଟି ଟଙ୍କା ଲେଖାଏ ଅଫର ଦିଆଯାଉଛି। ହେଲେ ସରକାର ଭାଙ୍ଗିବା ପାଇଁ ବିଜେପି କରୁଥିବା ଯୋଜନାକୁ ଆମେ ଭଣ୍ଡୁର କରି ଦେଇଛୁ। ଏହାପୂର୍ବରୁ ମଧ୍ୟ ଥରେ ବିଜେପି ଏଠାରେ ଅପରେସନ ଲୋଟସକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲା। କିନ୍ତୁ ଆପ୍‌ ଏହାକୁ କରାଇ ଦେଇ ନଥିଲା। ଏହାର ପ୍ରମାଣ ମଧ୍ୟ ରହିଛି। ଦଳ ଅନୁମତି ଦେଲେ ବିଜେପିର ପର୍ଦ୍ଦାଫାସ କରାଯିବ। ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ସରକାରଙ୍କ ସଫଳତା କଥା କହୁଛନ୍ତି। ହେଲେ ବିଜେପିର ସବୁଠାରୁ ବଡ଼ ସଫଳତା ବିଷୟରେ ଏଯାଏ କହି ଜାଣି ନାହାନ୍ତି। ଏହି ବଡ଼ ସଫଳତା ହେଲା ଅପରେସନ ଲୋଟସ ବା ଅପରେସନ ପଦ୍ମ। ଯେତେବେଳେ ରାଜ୍ୟଗୁଡ଼ିକରେ ନିର୍ବାଚନ ହୁଏ ସେତେବେଳେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ନିଜେ ପ୍ରଚାର କରନ୍ତି। ହେଲେ ନିର୍ବାଚନରେ ଲୋକମାନେ ଯେତେବେଳେ ଅନ୍ୟ କୌଣସି ଦଳକୁ ଭୋଟ ଦେଇ ଚୟନ କରନ୍ତି ସେତେବେଳେ ଜନାଦେଶକୁ ପ୍ରଭାବିତ କରିବା ପାଇଁ ବିଜେପି କାର୍ଯ୍ୟାଳୟରେ ଷଡ଼ଯନ୍ତ୍ର ରଚାଯାଏ ଓ ଅପରେସନ ଲୋଟସ ଆରମ୍ଭ ହୁଏ। ମଧ୍ୟପ୍ରଦେଶ, ଗୋଆ ଓ କର୍ଣ୍ଣାଟକାରେ ଅପରେସନ ଲୋଟସ ବେଶ ସହଜରେ କରାଯାଇଛି। ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ସହ ମେଣ୍ଟ କରି ବିଜେପି ବିଫଳ ହୋଇଥିଲା। ଏବେ କିନ୍ତୁ ଦଳ ସେଠାରେ ଉଦ୍ଧବ ସରକାର ଭାଙ୍ଗିବାରେ ବିଜେପି ସକ୍ଷମ ହୋଇଛି। ଦିଲ୍ଲୀରେ ବିଜେପି ଆପର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଟାର୍ଗେଟ କରି ଅପରେସନ୍ ଲୋଟସ୍ ଚଳାଇବାକୁ ଚେଷ୍ଟା କରିଥିଲା ମାତ୍ର ସେଥିରେ ବିଫଳ ହୋଇଥିଲା। ଏହାପରେ ସେମାନେ ଅବକାରୀ ନୀତିକୁ ନେଇ ସିବିଆଇର ଧମକ ଦେଉଛନ୍ତି। ସିବିଆଇ ୩୧ଟି ସ୍ଥାନରେ ରେଡ କରିଥିଲା। କିନ୍ତୁ ଏଯାଏ କିଛି ବି ମିଳିଲା ନାହିଁ। ତେଣୁ ବିଜେପି ଏବେ ଦିଲ୍ଲୀ ସରକାରକୁ ଭାଙ୍ଗିବା ପାଇଁ ସିସୋଦିଆଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଲୋଭ ଦେଖାଉଛି। ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।

ତେବେ କେଉଁ ବିଜେପି ନେତା ଆପକୁ ଏପରି ଅଫର ଦେଇଥିଲେ ବୋଲି ପ୍ରଶ୍ନର ଉତ୍ତରରେ ଭରଦ୍ୱାଜ କହିଛନ୍ତି, “ସବୁ କିଛି ଠିକ୍‌ ସମୟରେ ସାର୍ବଜନୀନ କରାଯିବ। ଦଳର ନେତାମାନେ କେମିତି ଓ କେଉଁଠି ବିଜେପିର ଅସଲ ମୁଖା ଖୋଲାଯିବ, ତା’ର ନିଷ୍ପତ୍ତି ନେବେ।”

ଅନ୍ୟପକ୍ଷରେ ବିଜେପି ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛି। ସିସୋଦିଆଙ୍କ ବିରୋଧରେ ଲାଗିଥିବା ଦୁର୍ନୀତିର ଦାଗକୁ ଛଡ଼ାଇବା ପାଇଁ ଆପ୍ ଏହି ସବୁ ମନଗଡ଼ା କାହାଣୀ କହୁଥିବା ବିଜେପି ସାଂସଦ ପରଭେଶ ବର୍ମା କହିଛନ୍ତି। ପରଭେଶ କହିଛନ୍ତି, “ଲୋକମାନେ ଆପ୍‌ ଠାରୁ ଅବକାରୀ ନୀତି ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି। ଏହି ନୀତି ଯୋଗୁ ଦିଲ୍ଲୀର ଅନେକ କ୍ଷତି ହୋଇଛି।” ଆପ୍‌କୁ ବିଜେପି ଦେଇଥିବା ଅଫର ସମ୍ପର୍କରେ ବର୍ମା କହିଛନ୍ତି, “ସେମାନେ ନିଜର କର୍ମକର୍ତ୍ତାମାନଙ୍କୁ ହିଁ ଏପରି ଫୋନ କଲ କରିବାକୁ କହୁଛନ୍ତି। ଏହାପରେ ବିଜେପିକୁ ଦୋଷ ଦେଉଛନ୍ତି। ସେମାନଙ୍କ ବୟାନକୁ ଗୁରୁତ୍ୱର ସହ ନେବା କଥା ନୁହେଁ।” ସେପଟେ ବିଜେପି ସାଂସଦ ମନୋଜ ତିୱାରୀ ମଧ୍ୟ ଆପକୁ କିଏ ଅଫର ଦେଇଛନ୍ତି ସେହି ବ୍ୟକ୍ତିଙ୍କ ନାଁ ସାର୍ବଜନୀନ କରିବାକୁ କହିଛନ୍ତି।

Related Posts