ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ଖଣ୍ଡଗିରି ଥାନା ପୋଲିସର ତଦନ୍ତ ଜାରି ରଖିଛି । ଏହି କ୍ରମରେ ସୋମବାର ଅର୍ଚ୍ଚନାଙ୍କ ପୁରୁଣା ଭଡ଼ା ଘର ମାଲିକ ତଥା ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ବୟାନ ରେକର୍ଡ କରାଯାଇଛି । ସିଆରପିସିର ୧୬୧ ଧାରାରେ ତାଙ୍କ ବୟାନ ରେକର୍ଡ ହୋଇଛି। ଅର୍ଚ୍ଚନା ୨୦୧୭ରେ ପ୍ରମୋଦ ସ୍ୱାଇଁଙ୍କ ଜାଗମରା ବିଭବ ଇଷ୍ଟେଟ ଘରେ ୧୧ ମାସ ଭଡ଼ାରେ ଥିଲେ ।ପୋଲିସ ପ୍ରମୋଦଙ୍କୁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ସମ୍ପର୍କରେ ବିସ୍ତୃତ ଭାବରେ ପଚରାଉଚରା କରିଛି । ଅର୍ଚ୍ଚନାଙ୍କ ସହ ଭଡ଼ା ଘରେ କେତେ ଜଣ ରହୁଥିଲେ, କିଏ କିଏ ଆସୁଥିଲେ, କାହିଁକି ଘରୁ ବାହାର କରିଦେଲେ ସେ ସଂପର୍କରେ ପଚରାଉଚରା କରିଛି ପୋଲିସ ।

ତେବେ ଏହି ଘରେ ରହୁଥିବା ସମୟରେ ଅର୍ଚ୍ଚନାଙ୍କ ଘରକୁ ବହୁତ ଗେଷ୍ଟ ଆସୁଥିଲେ । ଏଥିରେ ପ୍ରମୋଦ ସ୍ୱାଇଁ ଅସନ୍ତୁଷ୍ଟ ଥିଲେ । ତେବେ ଉଭୟ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ପୁଅ ଆଦିତ୍ୟର ଜନ୍ମ ମଧ୍ୟ ପ୍ରମୋଦଙ୍କ ଘରେ ହୋଇଥିବା ଜଣା ପଡିଛି। ତେବେ ଉଭୟ ସ୍ବାମୀ ସ୍ତ୍ରୀ କିଛି ମାସ ପ୍ରମୋଦଙ୍କ ଘରେ ରହିବା ପରେ ଭଡା ଦେଇନଥିଲେ ଓ ଭଡା ମାଗିବାରୁ ତାଙ୍କ ସହ ଅର୍ଚ୍ଚନା ଝଗଡ଼ା କରିଥିଲେ ବୋଲି ପ୍ରମୋଦ ପୋଲିସକୁ କହିଛନ୍ତି। ଝଗଡ଼ା ସମୟରେ ଅର୍ଚ୍ଚନା ତାଙ୍କୁ ନାନା ଧମକ ଦେଇଥିଲେ ଓ ମିଛ ମାମଲାରେ ଫସେଇ ଦେବେ ବୋଲି ମଧ୍ୟ କହିଥିଲେ। ଏମିତିକି ଅର୍ଚ୍ଚନା ପ୍ରମୋଦଙ୍କ ବିରୋଧରେ ମହିଳା ଥାନାର ଦ୍ୱାରସ୍ଥ ହୋଇ ଅସଦାଚରଣର ଅଭିଯୋଗ ମଧ୍ୟ କରିଥିଲେ। ତେବେ ଏଥିରେ ଡରିଯାଇ ପରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ ହୋଇଥିଲା ବୋଲି ପ୍ରମୋଦ ପୋଲିସକୁ କହିଛନ୍ତି। ପୋଲିସ ପ୍ରମୋଦଙ୍କ ବୟାନ ରେକର୍ଡ କରିଥିବା ବେଳେ ତାଙ୍କ ବୟାନରେ କେତେ ସତ ରଚିଛି ତାହାରି ଉପରେ ତଦନ୍ତ ଜାରି ରହିଛି।

ଅନ୍ୟପଟେ ଯେଉଁ ଯୁବତୀ ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ତାଙ୍କର ମଧ୍ୟ ସୋମବାର ବୟାନ ରେକର୍ଡ କରାଯାଇଛି। ଖୁବଶୀଘ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇପାରେ । ସେହିଭଳି ଆଉ କିଛି ଲୋକଙ୍କୁ ପୋଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି । ସେପଟେ ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ସେ ହାଜର ହୋଇପାରନ୍ତି ।