ପଶ୍ଚିମବଙ୍ଗ ମୋମିନପୁରରେ ସାମ୍ପ୍ରଦାୟିକ ହିଂସା; ବିଜେପି ରାଜ୍ୟ ସଭାପତିଙ୍କ ସମେତ ୫ ଅଟକ, ୧୪୪ ଧାରା ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗରେ ପୁଣି ମୁଣ୍ଡ ଟେକିଛି ସାମ୍ପ୍ରଦାୟିକ ହିଂସା । ମୋମିନପୁରରେ ହୋଇଥିବା ହିଂସା ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ଟିଏମସି । ସେପଟେ ପଶ୍ଚିମବଙ୍ଗ ଏହି ହିସାକାଣ୍ଡ ଘଟିଥିବା ଘଟଣାସ୍ଥଳକୁ ଯିବା ସମୟରେ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାରଙ୍କ ସହ ୫ ଜଣଙ୍କୁ ଅଟକ ରଖାଯାଇଛି। ସେହିପରି ମୋମିନପୁରରେ ମଧ୍ୟ ଏହି ହିଂସାକାଣ୍ଡ ପାଇଁ ୩୮ ଜଣଙ୍କୁ ଅଟକ ରଖିଛି ପୋଲିସ। ଘଟଣା ବାବଦରେ ଗୃହମନ୍ତ୍ରାଳୟକୁ ଚିଠି ଲେଖିଛି ପଶ୍ଚିମବଙ୍ଗ ପ୍ରଦେଶ ବିଜେପି । ମୋମିନପୁରରେ କେନ୍ଦ୍ରୀୟଦଳ ମୃତୟନ କରିବାକୁ ଚିଠିରେ ଦାବି କରାଯାଇଛି । ମିଲାଦ୍‌-ଉନ୍‌-ନବୀ ପାଇଁ ଲଗାଯାଇଥିବା ଧାର୍ମିକ ପତାକାକୁ ଚିରା ଯାଇଥିବା ଅଭିଯୋଗ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ବହୁ ଗାଡ଼ି ଓ ଦୋକାନ ଭଙ୍ଗାରୁଜା ଓ ପୋଡ଼ାଜଳା ସହ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଢେଲାମାଡ଼ କରିଥିଲେ। କେଉଁ ପରିସ୍ଥିତିରେ ଉତ୍ତେଜନା ସୃଷ୍ଟି ହେଲା, ସେ ସମ୍ପର୍କରେ ସରକାରୀ ଭାବେ ଏ ପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ।

ଘଟଣା ସମ୍ପର୍କରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଚିଠି ଲେଖିଥିବା ବେଳେ ଏ ସମ୍ପର୍କରେ ପଶ୍ଚିମବଙ୍ଗ ରାଜ୍ୟପାଳ ଲା ଗଣେଶନଙ୍କୁ ମଧ୍ୟ ପତ୍ର ଦ୍ବାରା ଅବଗତ କରାଇଛନ୍ତି। ସେ ଏକ ଟୁଇଟ୍‌ ଦ୍ବାରା ସୂଚନା ଦେଇ କହିଛନ୍ତି ଯେ, ମୋମିନପୁର ହିଂସା ଘଟଣାରେ ଏକବଲପୁର ଥାନାରେ ଭଙ୍ଗାରୁଜା ହୋଇଛି ଓ କିଛି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଠାରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ରବିବାର ବିଳମ୍ବିତ ରାତିରେ ବହୁ ଲୋକ ଥାନା ଚାରି ପଟେ ଘେରି ରହିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋଲକାତା ପୁଲିସ ଅଧୀନସ୍ଥ ମୋମିନପୁର-ଏକବଲପୁର ଅଞ୍ଚଳରେ ତିନି ଦିନ ପାଇଁ ୧୪୪ ଧାରା ଜାରି କରାଯାଇଛି। ୫ ଜଣରୁ ଅଧିକ ଲୋକ ଏକତ୍ର ନହେବା ପାଇଁ କୁହାଯାଇଛି।

ଅନ୍ୟପଟେ ବିଜେପି ନେତା ଅମିତ ମାଲବ୍ୟ ଏହି ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କୁ ଦାୟୀ କରିଛନ୍ତି। ରାଜ୍ୟ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନରେ କୋଲକାତା ଅସୁରକ୍ଷିତ ହୋଇପଡ଼ିଛି। ହିଂସା ଘଟଣାକୁ ନେଇ ବିଜେପି ନେତା ସ୍ବପନ ଦାସଗୁପ୍ତ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ପୁଲିସ ବିଫଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ସେ ଘଟଣା ସ୍ଥଳକୁ ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା ବୋଲି ସେ କହିଛନ୍ତି।

Related Posts