ରାଜସ୍ଥାନରେ ଗେହଲଟ ସରକାର

ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଶୋକ ଗେହଲଟ । ଜୟପୁରର ଅଲବର୍ଟ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ କଲ୍ୟାଣ ସିଂହ, ଗେହଲଟଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ଦେଇଥିଲେ । ଏଥିସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସଚିନ୍‌ ପାଇଲଟ ।

ପ୍ରଥମ ଥର ପାଇଁ ରାଜଭବନକୁ ଛାଡ଼ି ଅଲବର୍ଟ ହଲ୍‌ରେ ଶପଥ ସମାରୋହ ଆୟୋଜନ ହୋଇଛି । ଖୁବଶୀଘ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ନେବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇ ନୂଆ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ।

ସେପଟେ ଶପଥ ଗ୍ରହଣ ଉତ୍ସବରେ ପ୍ରମୁଖ ବିରୋଧୀଙ୍କୁ ଦେଖିବାକୁ ମିଳିଛି । କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଶରଦ ଯାଦବ, ଜିତନରାମ ମାନଝୀ, ତେଜସ୍ବୀ ଯାଦବ, ହେମନ୍ତ ସୋରେନ, ଶରଦ ପାୱାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ନିମନ୍ତ୍ରଣ ସତ୍ତ୍ବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂହ ଯାଦବ, ବିଏସପି ମୁଖ୍ୟ ମାୟାବତୀ ଆସି ନଥିଲେ ।

Related Posts