ଏସିଆ କପ୍‌ କ୍ରିକେଟ୍‌-୨୦୨୨: ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କଲା ଆଫଗାନିସ୍ତାନ

ଦୁବାଇ: ଆଜିଠୁ ଆରମ୍ଭ ହୋଉଛି ଏସିଆ କପ୍‌ କ୍ରିକେଟ୍‌-୨୦୨୨ । ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଓ ଶ୍ରୀଲଂକା ମିହମୁହି ହୋଇଥିଲେ । ତେବେ ଏଥିରେ ଆଫଗାନିସ୍ତାନ ଦମଦାର ପ୍ରଦର୍ଶନ କରିଛି। ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ଆଫଗାନିସ୍ତାନ ପ୍ରଶଂସନୀୟ ପ୍ରଦର୍ଶନ କରି ଶନିବାର ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଛି।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଆଫଗାନିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନିଜର ଲକ୍ଷ୍ୟକୁ ଆଫଗାନିସ୍ତାନ ସଫଳ ବିନିଯୋଗ କରି ଶ୍ରୀଲଙ୍କାକୁ ୧୦୫ ରନ୍‌ରେ ଅଟକାଇଥିଲା। ଶ୍ରୀଲଙ୍କା ଟିମ୍‌ ନିର୍ଦ୍ଧାରିତ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇଥିଲା । ଫଳରେ ଆଫଗାନିସ୍ତାନକୁ ୧୦୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।
ଆଫଗାନିସ୍ତାନ ୧୦.୧ ଓଭରରେ ୨ଟି ୱିକେଟ ହରାଇ ୧୦୬ ରନ୍‌ କରିଛି। ପ୍ରାରମ୍ଭିକ ବ୍ୟାଟର ହଜରତୁଲ୍ଲା ଯଯାଇ ଓ ରହମନତୁଲ୍ଲା ଗୁରବାଜ୍‌ ପ୍ରଥମ ୱିକେଟ ପାଇଁ ୮୩ ରନ୍‌ ଯୋଡ଼ି ଦଳର ସ୍କୋରକୁ ମଜବୁତ କରିଥିଲେ। ଗୁରବାଜ ୧୮ଟି ବଲ୍‌ ଖେଳି ୪୦ ରନ୍‌ କରିଥିଲେ। ଏଥିରେ ୩ଟି ଚୌକା ଓ ୪ଟି ଛକା ସାମିଲ ରହିଛି। ଯଯାଇ ୨୮ଟି ବଲ ଖେଳି ୩୭ ରନ୍‌ କରିଥିଲେ। ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଆଫଗାନିସ୍ତାନର ଖେଳାଳିମାନେ ଉଭୟ ବୋଲିଂ ଓ ଫିଲ୍ଡିଂ ଦିଗରେ ଭଲ ପ୍ରଦର୍ଶନ କରିଥିଲେ, ଯେଉଁଥି ପାଇଁ ଶ୍ରୀଲଙ୍କା ବଡ଼ ସ୍କୋର କରିପାରି ନଥିଲା। ପ୍ରଥମ ଓଭରରେ ଶ୍ରୀଲଙ୍କା ୨ଟି ୱିକେଟ ହରାଇଥିଲା। ସେହିପରି ୨ୟ ଓଭରରେ ପୁଣି ଜଣେ ବ୍ୟାଟର ଆଉଟ ହୋଇଥିଲେ। ଶ୍ରୀଲଙ୍କାର ସ୍କୋର ୫ ରନ୍‌ ବେଳକୁ ଆଫଗାନିସ୍ତାନ ୩ଟି ୱିକେଟ ହରାଇ ସାରିଥିଲା। ମାତ୍ର ୪ର୍ଥ ୱିକେଟ ପାଇଁ ଦଳ ୪୪ ରନ୍‌ ସଂଗ୍ରହ କରିଥିଲେ।

ଶ୍ରୀଲଙ୍କା ପାଇଁ ଭାନୁକା ରାଜପକ୍ଷେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୯ଟି ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ବଳରେ ୩୮ ରନ୍‌ ସଂଗ୍ରହ କରିଥିଲେ। ଚମିକା କରୁଣାରତ୍ନେ ବ୍ୟକ୍ତିଗତ ଭାବେ ଦଳ ପାଇଁ ୩୧ ରନ୍‌ ଯୋଗଦାନ ଦେଇଥିଲେ। ସେ ୩୮ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଶ୍ରୀଲଙ୍କାର ସ୍କୋର ମଜବୁତ ନ ହେବାର ଅନ୍ୟ କାରଣ ହେଲା ତିନି ଜଣ ଖେଳାଳି (କୁସାଲ ମେଣ୍ଡିସ, ଦାସୁନ ସନକା ଓ ମହୀଶ ତୀକଶନା) ଶୂନ୍ୟ ରନ୍‌ରେ ଆଉଟ୍‌ ହୋଇଥିଲେ। ଅନ୍ୟ ୫ ଜଣଙ୍କର ସ୍କୋର ମୋଟ ୧୩ ରନ୍‌ ହୋଇଥିଲା।

ଆଫଗାନିସ୍ତାନ ପକ୍ଷରୁ ଫାଜଲହକ୍‌ ଫାରୁକୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ମୁଜୀବ ଉର୍‌-ରହମାନ୍‌ ଓ ମହମ୍ମଦ ନବିଙ୍କୁ ୨-୨ ୱିକେଟ ମିଳିଥିବା ‌ବେଳେ ନବୀନ ଉଲ୍‌-ହକ୍‌ ଗୋଟିଏ ୱିକେଟ ନେଇଥିଲେ।

Related Posts