‘ ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖିବା ପାଇଁ ସରକାରୀ କର୍ମଚାରୀଙ୍କୁ ଅଧା ଦିନର ଛୁଟି ଦେଲେ ଆସାମ ସରକାର

ନିକଟରେ ପରଦା ଉପରକୁ ଆସିଛି ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ | ଏବେ ଏହି ଫିଲ୍ମ କୁ ନେଇ ଚାରିଆଡେ ଚର୍ଚା ଜୋର ଧରିଛି | କାଶ୍ମୀର ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଅକଥ୍ୟ ନିର୍ଯାତନାକୁ ଅବିକଳ ଭାବେ ଏହି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ନିକଟରେ ଉପସ୍ଥାପନା କରିଛନ୍ତି ନିର୍ଦେଶକ | ତେଣୁ ଏହି ବାସ୍ତବିକତାକୁ ପ୍ରତି ଭାରତବାସୀ ଜାଣନ୍ତୁ ଏଥିପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

ସେପଟେ ଆସାମ ସରକାର ମଧ୍ୟ ନିଆରା ପଦକ୍ଷେପ ନେଇଛନ୍ତି । ‘ଦ କାଶ୍ମୀର ଫାଇଲ୍ସ’କୁ ଦେଖିବାକୁ ଆସାମ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା କରିଛନ୍ତି ଅଧା ଦିନର ଛୁଟି । କିନ୍ତୁ ଫିଲ୍ମ ଦେଖିବାକୁ ଯିବାକୁ ହେଲେ କର୍ମଚାରୀଙ୍କୁ ନିଜ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଦେଖି ଆସିବା ପରେ ଟିକେଟ ମଧ୍ୟ ଦେଖାଇବାକୁ ପଡିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ଆସାମର ଜନତା ରାଜନୈତିକ ସ୍ତରରେ ଏକଜୁଟ୍ ମନଭାବ ନେଇ ରହିଆସୁଛନ୍ତି । ହିନ୍ଦୁ ହୁଅନ୍ତୁ ବା ସଂଖ୍ୟାଲଘୁ ଏଠାରେ ସବୁ ପରିସ୍ଥିତିକୁ ସମାନ ଭାବେ ଗ୍ରହଣ କରନ୍ତି ଏଠିକାର ଲୋକେ । ତେଣୁ ଏହି ଫିଲ୍ମକୁ ଦେଖି ସେମାନେ ଆସାମକୁ ମଧ୍ୟ କାଶ୍ମୀର ସହ ତୁଳନା କରିବେ । ଆଜି ଆସାମରେ ପୂର୍ବପେକ୍ଷା କେତେ ଶାନ୍ତି ଫେରିଛି ତାହା ମଧ୍ୟ ଅନୁଭବ କରିପାରିବେ ବୋଲି ବିଶ୍ୱଶର୍ମା କହିଛନ୍ତି ।

କେବଳ ଆସାମରେ ନୁହେଁ ମଧ୍ୟପ୍ରଦେଶରେ ମଧ୍ୟ ଏହି ଫିଲ୍ମ ଦେଖିବାକୁ ପୋଲିସ କର୍ମୀଙ୍କୁ ଛୁଟି ମିଳିବ । ସୋମବାର ପ୍ରଦେଶ ସରକାର ଏନେଇ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀ ଏନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପରେ ଏହାକୁ ଅନୁମତି ଦିଆଯାଇଛି । ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ।

Related Posts