ତାଲିବାନ ସମର୍ଥନରେ ସୋସିଆଲ ମିଡ଼ିଆ ପୋଷ୍ଟ କରିଥିବା ୧୪ ଜଣଙ୍କୁ ଗିରଫ କଲା ଆସାମ ପୁଲିସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ମହଙ୍ଗା ପଡିଲା ତାଲିବାନ ସମର୍ଥନରେ ସୋସିଆଲ ମିଡ଼ିଆ ପୋଷ୍ଟ କରିବା । ୧୪ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଆସାମ ପୋଲିସ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ବୟସ ସୀମା ୨୩ ରୁ ୬୫ ବର୍ଷ। ଜଣେ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ , ଆସାମର ୧୦ଟି ଜିଲ୍ଲାରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। 

ଏମାନଙ୍କ ନାଁରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ, ଆଇଟି ଆକ୍ଟ ଓ ସିଆରପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଆସାମର କାମରୁପ ମହାନଗର ନିଗମ, ବାରପେଟା, ଧୁବ୍ରି ଏବଂ କରିମଗଞ୍ଜ ଜିଲ୍ଲାରୁ ଦୁଇଜଣଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। 

ଏଥି ସହିତ ଡାରଙ୍ଗ, କାଚର, ହାଇଲାକାଣ୍ଡି, ଦକ୍ଷିଣ ସଲମାରା, ଗୋଲପାରା ଏବଂ ହୋଜାଇ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଆଫଗାନିସ୍ତାନକୁ ଅକ୍ତିଆରକୁ ନେଇଥିବା ତାଲିବାନ ପ୍ରଶାସନକୁ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଖୋଲାଖୋଲି ଭାବେ ସମର୍ଥନ କରୁଥିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। 

ଏହା ମଧ୍ୟରୁ ଅଧିକାଂଶ ପୋଷ୍ଟ ଫେସବୁକରେ ଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ସେମାନଙ୍କର ସୋସିଆଲ ମିଡିଆ ପୋଷ୍ଟକୁ ଆଧାର କରି ସେମାନଙ୍କୁ ଟ୍ରାକ କରାଯାଇଥିଲା ଏବଂ ସ୍ଥାନୀୟ ପୋଲିସ ସେମାନଙ୍କୁ ଗିରଫ କରିଥିଲା ​​ବୋଲି ସୂଚନା ହସ୍ତଗତ ହୋଇଛି । ପୁଲିସ ଅଧିକାରୀ କହିଛନ୍ତି ଯେ ଉତ୍ତେଜନାମୂଳକ ପୋଷ୍ଟ ପାଇଁ ଆମେ ସଜାଗ ରହିଛୁ ଏବଂ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

Related Posts