ରାଜଧାନୀରେ ସୁନ୍ଦରୀ ଲୁଟେରା

ଆଖି ପିଛୁଳାକେ ଲୁଟି ନେଉଛନ୍ତି ସୁନା ଅଳଙ୍କାର । ସୁନ୍ଦରୀ ଲୁଟେରା ପାଇଁ ଭୟଭୀତ ସୁନା ଦୋକାନୀ । କେତେ ବେଳେ, କେଉଁ ବେଶରେ ଆସି ସୁନ୍ଦରୀ ଲୁଟେରା ଲୁଟିବ ସୁନା, ଅଳଙ୍କାର ତାହା କହିବା ମୁସ୍କିଲ । ଏ ପଯ୍ୟନ୍ତ ସୁନ୍ଦରୀ ଲୁଟେରା ଧରାପଡିନି ପୋଲିସ ହାତରେ, ହେଲେ ସୁନ୍ଦରୀ ଲୁଟେରାର କାରନାମା ଧରାପଡ଼ିଛି ସିସିଟିଭି କ୍ୟାମେରାରେ ।

ଏମାନେ ଜୁଏଲାରୀ ସୋ ରୁମରେ କାରନାମା କରୁଛନ୍ତି । ଅଳଙ୍କାର କିଣିବାକୁ ଆସି ଚୋରି କରୁଛନ୍ତି । ଘଟଣା ହେଉଛି ୨୦୧୮ ଜାନୁୟାରୀ ୨୯ ତାରିଖର । ଭୁବନେଶ୍ବର ରାଜମହଲ ଛକରେ ଥିବା ଏକ ସୁନା ଦୋକାନକୁ ଯାଇଥିଲେ ଯୁବତୀ । ସୁନା ମୁଦି ନେବା ପାଇଁ ମାଲିକଙ୍କୁ କହିଥିଲେ ।

ମାଲିକ ସୁନା ମୁଦି ଆଣିବାକୁ ୱାର୍କସପ୍‌କୁ ଯାଇଥିବାବେଳେ, ଅତି ଚାଲାକରେ ଗୋଟିଏ ପରେ ଗୋଟିଏ ସୁନାର କାନଫୁଲ ଚୋରି କରି ନେଇଥିଲେ । ଏତିକିରେ ସରି ନଥିଲା କାରନାମା, କାନଫୁଲ ଚୋରି କରିବା ପରେ ସୁନା ମୁଦି ମଧ୍ୟ ଚୋରି କରି ନେଇଥିଲେ ।

ମାଲିକ ଗୋଟିଏ ପରେ ଗୋଟିଏ ସୁନା ମୁଦିକୁ ଓଜନ କରିବା ସହ ହିସାବରେ ବ୍ୟସ୍ତ ଥିବାବେଳେ, ଯୁବତୀ ଜଣକ ନିଜ ମଙ୍କି କ୍ୟାପରେ ସୁନା ମୁଦି ଗୁଡ଼ିକ ଲୁଚାଇ ଫେରାର୍‌ ହୋଇଯାଇଥିଲେ ।

ଯୁବତୀ ଫେରାର ହେବା ପରେ ୨ଟି ସୁନା ମୁଦି କମ୍ ହେବାରୁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ ମାଲିକ । ଯାଞ୍ଚ ବେଳେ ଧରାପଡ଼ିଥିଲା ଚୋରି । ତେବେ ଭାଗ୍ୟ ଭଲ, ପ୍ରଥମେ ଯୁବତୀ ଚୋରି କରିଥିବା କାନ ଫୁଲ ସୁନାର ନୁହେଁ, ଇମିଟେସନ୍‌ ଥିଲା । ତେବେ ଚୋରି ହେବା ନେଇ ଏପଯ୍ୟନ୍ତ ଥାନାରେ ରିପୋର୍ଟ ଦେଇନାହାଁନ୍ତି ମାଲିକ ।

Related Posts