ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆଲୋଚନା ସମୟରେ ଋଷ ଶିଳ୍ପପତିଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ, ଉଭୟ ଦେଶ ମଧ୍ୟରେ ଜାରୀ ରହିଛି ଶାନ୍ତି ଆଲୋଚନା। ଏପର୍ଯ୍ୟନ୍ତ ଅନେକ ଚେଷ୍ଟା ସତ୍ତ୍ୱେ କୌଣସି ଠୋସ୍ ଫଳାଫଳ ମିଳିପାରି ନାହିଁ। ତେବେ ଏହାରି ମଧ୍ୟରେ ଋଷ ର ଶିଳ୍ପପତିଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରଯାଇଥିବା ନେଇ ଅଭିଯୋଗ ଆସିଛି ।

ମାର୍ଚ୍ଚ ୩ ରେ, ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ହୋଇଥିବା ଆଲୋଚନାରେ ସାମିଲ ଜଣେ ବ୍ୟକ୍ତିଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି | ଏହି ବୈଠକରେ ଋଷର ଶିଳ୍ପପତି ତଥା ପୁଟିନଙ୍କ ଘନିଷ୍ଠ କୁହାଯାଉଥିବା ରୋମାନ ଆବ୍ରାମୋଭିଚ ମଧ୍ୟ ଯୋଗ ଦେଇଥିଲେ। ତେବେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏକ ରିପୋର୍ଟରେ କହିଛି ଯେ ଏହି ସଭାରେ ଯୋଗ ଦେଇଥିବା ଚାରିଜଣ ବ୍ୟକ୍ତିଙ୍କୁ ବିଷ ଦିଆଯାଇଥିଲା | ଆଉ ରୋମାନ ଆବ୍ରାମୋଭିଚଙ୍କୁ ମଧ୍ୟ ବିଷ ଦିଆଯାଇଥିଲା | ବିଷର ପ୍ରଭାବରେ ଆଖି ଲାଲ ହୋଇଯିବା ସଂଗେ ଶରୀରରେ ଯନ୍ତ୍ରଣା ହୋଇଥିଲା । କେବଳ ଏତିକି ନୁହେଁ ରୋମାନ କିଛି ସମୟ ପାଇଁ ଦୃଷ୍ଟିଶକ୍ତି ହରାଇଥିଲେ | ଅବଶ୍ୟ ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି | ରୋମାନ୍ ଆବ୍ରାମୋଭିଚ୍ ୟୁରୋପର ପ୍ରସିଦ୍ଧ ଫୁଟବଲ୍ କ୍ଲବ୍ ଚେଲସିର ମାଲିକ ହୋଇଥିବାବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଜଣେ ଘନିଷ୍ଠ ଭାବେ ବେଶ ପରିଚିତ |

ଋଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଆଲୋଚନାରେ ରୋମାନ୍ ଆବ୍ରାମୋଭିଚ୍ ପରଦା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ | କିନ୍ତୁ ତାଙ୍କୁ ବିଷ ଦେଇ ହତ୍ୟା କରିବାର ଉଦ୍ୟମ ଖବର ଶୁଣି ସମଗ୍ର ବିଶ୍ୱ ଚକିତ ହୋଇଯାଇଛି। ତେବେ ଏହା ପଛରେ କାହାର ହାତ ରହିଛି ସେନେଇ ରିପୋର୍ଟରେ କିଛି କୁହାଯାଇନାହିଁ । ତେବେ ଆଗକୁ ଋଷ ଆକ୍ରୋଶ ଭାବେ ଯୁଦ୍ଧ କୁ ଆହୁରି ତୀବ୍ରତର କରିବ ବୋଲି ଆଶଂକା ପ୍ରକାଶ ପାଇଛି ।

Related Posts