ବିହାର କ୍ୟାବିନେଟ ସମ୍ପ୍ରସାରଣ; ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଶେଷ, ତେଜସ୍ଵୀଙ୍କୁ ମିଳିଲାନି ଗୃହ ବିଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ନୀତୀଶ ସରକାରର କ୍ୟାବିନେଟ ସମ୍ପ୍ରସାରଣ ସରିଛି। ସରକାର ଗଠନର ୬ ଦିନ ପରେ ମହାଗଠବନ୍ଧନରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ଆଜି ମେଣ୍ଟ ସରକାରର ୩୦ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଫଗୁ ଚୌହାନ। ତେବେ ଶପଥ ସମାରୋହ ସରିବା ପରେ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ ମଧ୍ୟ କରାଯାଇଛି। ତେବେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କୁ ଗୃହ ବିଭାଗ ମିଳିନାହିଁ । ମନ୍ତ୍ରୀମଣ୍ଡଳରେ ଆର୍‌ଜେଡିର ମନ୍ତ୍ରୀ ସଂଖ୍ୟା ଅଧିକ ଥିଲେ ମଧ୍ୟ ତେଜସ୍ୱୀ ଯାଦବଙ୍କୁ ଗୃହ ବିଭାଗ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।ପୂର୍ବରୁ ତେଜସ୍ୱୀ ଯାଦବଙ୍କୁ ଗୃହ ମନ୍ତ୍ରାଳୟ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କୁ ବିଭାଗ ବଣ୍ଟନରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ସନ୍ତୁଷ୍ଟ ହେବାକୁ ପଡିଛି। ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମେତ ସଡକ ନିର୍ମାଣ, ଗୃହ ଓ ନଗର ଉନ୍ନୟନ, ଗ୍ରାମୀଣ ଉନ୍ନୟନ ବିଭାଗ ମିଳିଛି।

ସେହିପରି ଗୃହ ମନ୍ତ୍ରାଳୟ ନିଜ ପାଖରେ ରଖିଛନ୍ତି ନୀତୀଶ। ଏହାବ୍ୟତୀତ ସେ ସାଧାରଣ ପ୍ରଶାସନ, ବିଧାନସଭା ମନ୍ତ୍ରିମଣ୍ଡଳ, ନିର୍ବାଚନ ଏବଂ ବଣ୍ଟନ ହୋଇନଥିବା ଅନ୍ୟ ସମସ୍ତ ବିଭାଗ ନିଜ ପାଖରେ ରଖିଛନ୍ତି। ଅନ୍ୟପଟେ ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ହାତକୁ ପରିବେଶ, ଜଙ୍ଗଳ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆସିଛି।ବିହାର ମନ୍ତିମଣ୍ଡଳରେ ସାମିଲ ହେବାକୁ ଥିବା ସମସ୍ତ ମନ୍ତ୍ରୀ ଆଜି ରାଜଭବନରେ ଶପଥ ନେଇଛନ୍ତି ।

ତେବେ ସାଂଖ୍ୟ ଦୃଷ୍ଟିରୁ ବିହାର ମନ୍ତ୍ରିମଣ୍ଡଳରେ ଆର୍‌ଜେଡିର ପଲ୍ଲା ଭାରି ରହିଛି। ନୀତୀଶ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ତେଜସ୍ୱୀ ଯାଦବଙ୍କ ଆର୍‌ଜେଡି ପାଖରେ ରହିଛି ଅଧିକ ମନ୍ତ୍ରୀ ପଦ। ଆର୍‌ଜେଡିର ୧୬ ଜଣ ମନ୍ତ୍ରୀ ପଦ ପାଇଥିବା ବେଳେ ଜେଡିୟୁର ୧୧ ଜଣ ମନ୍ତ୍ରୀ ରହିଛନ୍ତି। ସେହିପରି କଂଗ୍ରେସର ୨ ଓ ହାମ୍‌ ଦଳର ଜଣେ ଓ ସ୍ୱାଧୀନ ପାର୍ଟିର ଜଣେ ମନ୍ତ୍ରୀ ଅଛନ୍ତି।

Related Posts