ସତ ହୋଇଥିଲେ ସାଂଘାତିକ ! ଗଂଜାମରେ ବୁଲୁଛି ନବୀନଙ୍କ ଡୁପ୍ଲିକେଟ ଚେକ୍

ସତ୍ୟପାଠ ବ୍ୟୁରୋ : ଅନେକ ବ୍ୟାଙ୍କର ଚେକ୍ ଆପଣ ଦେଖିଥିବେ । ହେଲେ କେଉଁଥିରେ ନେତାଙ୍କ ଫଟୋ ଦେଖିଛନ୍ତି କି ? ଆମେ ବି ଦେଖିନୁ, ଆପଣ ବି ଦେଖି ନଥିବେ । କିନ୍ତୁ ଏମିତି ଚେକ୍ ବୁଲୁଛି ଗଂଜାମରେ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଅବିକଳ ଏକ ଚେକ୍ ବଂଟା ଯାଉଛି ଲୋକଙ୍କୁ । ତିତିଲି କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ନାଁରେ ଏଭଳି ଚାଲିଛି ଟାଉଟରୀ । ତାହା ବି ଖୋଦ ନବୀନଙ୍କ ଜିଲ୍ଲାର ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଏରିଆରେ । ଯାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

କଂଗ୍ରେସ ଅଭିଯୋଗ କରିଛି ଏହି ଡୁପ୍ଲିକେଟ ଚେକ୍ ବାଂଟୁଛି ବିଜେଡି । କିଛି ଦଳୀୟ ନେତା ଏହି ଫେକ୍ ଚେକ୍ ତିଆରି କରି ବାଂଟୁଛନ୍ତି । ପୁଣି ଯେଉଁଦିନ ତିତିଲି କ୍ଷତିପୁରଣ ରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ତାହାର ଦୁଇ ତିନି ଦିନ ପୂର୍ବରୁ ସଂପୃକ୍ତ ହିତାଧିକାରୀଙ୍କୁ ଦିଆଯାଉଛି ଏହି ଚେକ୍ । ଚେକ୍ରେ ନବୀନ ବାବୁଙ୍କ ଫଟୋ ଥିବାରୁ ନବୀନ ବାବୁ ନିଜେ ବା ବିଜେଡି ଏହି ଚେକ୍ ଦେଉଥିବା ଲୋକଙ୍କ ମନରେ ଧାରଣା ସୃଷ୍ଟି ହେବା ସ୍ୱାଭାବିକ । ଅର୍ଥାତ ଜନମତକୁ ନିଜ ସପକ୍ଷକୁ ନେବାକୁ ଏଭଳି ପ୍ରୟାସ କରାଯାଇଥିବା କଂଗ୍ରେସ ନେତା ଓମପ୍ରକାଶ ସାହୁ ଅଭିଯୋଗ କରିଛନ୍ତି ।

ଏ କାମଟିକୁ ବି ଅତି ଚତୁରତାର ସହ କରାଯାଇଛି । କିଭଳି ଏହି କାର୍ଯ୍ୟ କରାଯାଉଛି ତାହାର ଏକ ରେଖାଙ୍କିତ ବାର୍ତ୍ତା ଆମେ ଦେବାକୁ ଚାହୁଁଛୁ । ଯାହାକୁ ପଢ଼ି ଆପଣ ଏହା ବୁଝି ପାରିବେ । ପ୍ରଥମେ ଅବିକଳ ଗୋଟିଏ ବ୍ୟାଙ୍କର ଚେକ୍ ର ନକଲ ତିଆରି ହୋଇଛି । ବ୍ୟାଙ୍କ ଭଳି ଏଥିରେ ତାରିଖ, ଆକାଉଣ୍ଟ ନମ୍ବର, ବ୍ରାଞ୍ଚ , ପେ, ବିଅରର୍ ଓ ଟଙ୍କାର ପରିମାଣ ଲେଖାଯାଇଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଲେଖାଯାଇଛି ‘ ’ । ମାନେ ଏହି ଚେକଟି ତିତିଲିରେ ଫସଲ ହାନୀ ପାଇଁ କ୍ଷତିପୁରଣ ବାବଦକୁ ଦିଆଯାଇଛି । ଏ କାମଟିକୁ ବି ଏତେ ଚାଲାକି ଓ ହୁସିଆର ଭାବେ କରାଯାଇଛି ଯେମିତି କେହି ବି ଏହାର ଟେର ପାଇବେ ନାହିଁ କିନ୍ତୁ କାମ ହୋଇଯିବ ।

ସତ୍ୟପାଠର ପ୍ରଶ୍ନ :

ଏ ନକଲି ଚେକ୍ ସ୍ଲିପ୍ ରେ ଅସଲି ହିତାଧିକାରୀଙ୍କ ନାଁ, ବ୍ୟାଙ୍କ ଖାତା ନମ୍ବର ଓ ପ୍ରାପ୍ୟ ଟଙ୍କାର ଅବିକଳ ତଥ୍ୟ ସଂଗ୍ରହ ହେଲା କିପରି ?

ଜଣେ ବ୍ୟକ୍ତିର ସେଭିଙ୍ଗସ ଆକାଉଣ୍ଟ ନମ୍ବର ଓ ସେ ଖାତାକୁ ଯାଉଥିବା ସରକାରୀ ଟ୍ରାନ୍ଜାକ୍ସନର ତଥ୍ୟ ବାହାରକୁ ଯାଉଛଉି କିପରି ?

ଏହା ରାଇଟ୍ ଟୁ ପ୍ରାଇଭାସୀ ବା ବ୍ୟକ୍ତିିଗତ ଗୋପନୀୟତା ଅଧିକାରର ଉଂଲଘନ, ଯାହାକି ଏକ ଅପରାଧ ।

ବିଜୁ ଜନତା ଦଳ ଓ ମନ୍ତ୍ରୀ ସୂର୍ଯ୍ୟ ପ୍ରାତ୍ରଙ୍କ ଭୁମିକାକୁ ନେଇ ସାଧାରଣରେ ଉଠିଥିବା ଅଭିଯୋଗ ସତ୍ୟାସତ୍ୟ କେତେ ?

ଏଭଳି ଏକ ଗୁରୁତର ଚଞ୍ଚକତାକୁ ମନ୍ତ୍ରୀ ସୂର୍ଯ୍ୟପାତ୍ର ଇଣ୍ଟିମେସନ ସ୍ଲିପ କହି ହାଲୁକା ଭାବେ ଏହାଇ ଯିବା ପଛର କାରଣ କଣ ?

ତିତିଲି କ୍ଷତିଗ୍ରସ୍ତଙ୍କ ସହାୟତା ଫାଇଲ ସରକାରୀ ଅଧିକାରୀଙ୍କ ଦ୍ୱାରା କରାଯାଉଛି । ଏ ତଥ୍ୟ ବାହାରକୁ ଯିବା ପଛରେ ସରକାରୀ ଅଧିକାରୀ ଓ ବିଜେଡି ନେତା, ଉଭୟଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ?

ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଏହି କଥା ଜାଣିବା ପରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ସୁପାରିଶ କରିବା ବଦଳରେ ହାଲୁକା ଭାବେ ନେଇ ପାରୁଛନ୍ତି କେମିତି ?

ତହସିଲ ଅଫିସରରୁ ପ୍ରଥମେ ଡାଟା ଆସୁଛି କେଉଁ ହିତାଧିକାରୀ ଫସଲନଷ୍ଟ କ୍ଷତିପୁରଣ ବାବଦକୁ କେତେ ପାଇବ । ହିତାଧିକାରୀ କ୍ଷତିପୁରଣ ପାଇଁ କରିଥିବା ଆବେଦନରେ କେଉଁ ବ୍ୟାଙ୍କର ବିବରଣୀ ଦେଇଛି ତାହା ବି ନିଆଯାଉଛି । ଅର୍ଥାତ କ୍ଷତିପୁରଣ ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କର ବ୍ୟାଙ୍କ ବିବରଣୀ ଆଣିବା ପରେ ଏହି ଡୁପ୍ଲିକେଟ ଚେକରେ ହିତାଧିକାରୀଙ୍କ ନାମ, ଠିକଣା, ବ୍ୟାଙ୍କ ଓ ବ୍ରାଞ୍ଚର ବିବରଣୀ, ଆକାଉଣ୍ଟ ନମ୍ବର ଓ କ୍ଷତିପୁରଣ ରାଶି ଲେଖି ଦିଆଯାଉଛି । ବାସ କ୍ଷତିପୁରଣ ପାଇବାକୁ ଥିବ ଦୁଇ ଚାରିଦିନ , ଆରମ୍ଭ ହୋଇଯିବ ନାଟକ । ସ୍ଥାନୀୟ ବିଜେଡି ନେତାଙ୍କ ଧରି ସଭା ହେଉଛି, ଯୋଗ୍ୟ ହିତାଧିକାରୀଙ୍କୁ ଡାକି ସେମାନଙ୍କୁ ଏହି ଡୁପ୍ଲିକେଟ ଚେକ ଧରାଇ ଫଟୋ ଉଠାଯାଉଛି । ଆଉ କୁହଯାଉଛି ଅମୁକ ଦିନ ତୁମ ଆକାୁଣ୍ଟକୁ ଏହି ଟଙ୍କା ଆସି ଯାଇଥିବ, ଯାଇ ନେଇ ଆସିବ ।

ସବୁଠୁ ବଡ କଥା ହେଲା ଏହି କାମ ଯେ କୌଣସି ଲୋକ କରିବାର ସମ୍ଭାବନା ବିଲକୁଲ ବି ନାହିଁ । କାରଣ ସରକାରୀ ଅଫିସରୁ ଏଭଳି ବ୍ୟକ୍ତିଗତ ତଥ୍ୟ ଆଣିବା ସମ୍ଭବପର ନୁହେଁ । ଅର୍ଥାତ ଏହି କାର୍ଯ୍ୟରେ କୌଣସି ସରକାରୀ ଅଧିକାରୀ ଡୁପ୍ଲିକେଟ ଚେକ୍ ବାଂଟୁଥିବା ଲୋକକୁ ଦେଉଛି । ଯାହା ଏକ ଅପରାଧିକ କାର୍ଯ୍ୟ । କାରଣ ହିତାଧିକାରୀଙ୍କ ସଂପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟକୁ ଗୋପନୀୟ ରଖିବା ପାଇଁ ନିୟମ ରହିଛି । କିଏ ସେହି କରିତ କର୍ମା ଲୋକ , ଯିଏ ସରକାରୀ ଖାତାରୁ ଏଭଳି ଗୋପନୀୟ ତଥ୍ୟ ଆଣୁଛି ଏବଂ ସର୍ବୋପରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ଲୋକଙ୍କୁ ଡୁପ୍ଲିକେଟ ଚେକ୍ ବାଂଟୁଛି ।

ଯେହେତୁ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ଅଂଚଳରୁ ଏହି ଅଭିଯୋଗ ଆସିଛି, ତେଣୁ ସତ୍ୟପାଠ ପକ୍ଷରୁ ଶ୍ରୀଯୁକ୍ତ ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲା । ମନ୍ତ୍ରୀ ଏକଦମ ହାଲୁକା ଭାବେ କହିଛନ୍ତି ‘ସେ ଏହି ଚେକ୍ ଦେଖିଛନ୍ତି କିନ୍ତୁ ଏହା ଚେକ୍ ନୁହେଁ ବରଂ ଇଣ୍ଟିମେସନ ସ୍ଲିପ୍ ।’ ମନ୍ତ୍ରୀଙ୍କ ଏଭଳି ଖାମଖିଆଲ ଉତ୍ତର ପରେ କଂଗ୍ରେସ ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ପ୍ରତିକ୍ରିୟା ରଖିଛନ୍ତି । “ମନ୍ତ୍ରୀ ସୂର୍ଯ୍ୟପାତ୍ର କିଭଳି ଜାଣିଲେ ଏହା ଡୁପ୍ଲିକେଟ ଚେକ୍ ନୁହେଁ ଓ ଇଣ୍ଟିମେସନ ସ୍ଲିପ ବୋଲି ? ଇଣ୍ଟିମେସନ ସ୍ଲିପର ମାନେ କଣ ମନ୍ତ୍ରୀ ବୁଝାଇ ପାରିବେ କି ? ସରକାରୀ ଖାତାରୁ ଜଣେ ବ୍ୟକ୍ତିର ଗୋପନୀୟ ତଥ୍ୟକୁ କେଉଁ ଅଧିକାରୀ ପ୍ରଘଟ କରିଛନ୍ତି ଓ ଏଭଳି ଡୁପ୍ଲିକେଟ ଚେକ୍ କିଏ ବାଂଟୁଛି ତାହାର ତଦନ୍ତ ପାଇଁ ମନ୍ତ୍ରୀ ମହାଶୟ ପୁଲିସରେ ଅଭିଯୋଗ ନକରି ଏଭଳି ହାଲୁକା ମନ୍ତବ୍ୟ ଦେଇ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ? ଏଭଳି ସାଂଘାତିକ ଚିଟିଙ୍ଗ୍ ର କ୍ରାଇମବ୍ରାଂଚ ତଦନ୍ତ ହେଉ ବୋଲି ଶ୍ରୀ ନାୟକ ପ୍ରତିକ୍ରିୟାରେ କହିଛନ୍ତି ।”

Related Posts