ପ୍ରିୟଙ୍କାଙ୍କ ରାଜନୀତି ପ୍ରବେଶକୁ ମୋଦିଙ୍କ କଟାକ୍ଷ

ସକ୍ରିୟ ରାଜନୀତିରେ ପ୍ରବେଶ କଲେ ପ୍ରିୟଙ୍କା ଗାନ୍ଧି । ଲୋକସଭା ନିର୍ବାଚନ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି । କଂଗ୍ରେସ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରିୟଙ୍କା । ଏଥିସହ ପୂର୍ବ ଉତ୍ତରପ୍ରଦେଶରେ ନିର୍ବାଚନ ପରିଚାଳନା ନେଇ ଦଳୀୟ ଦାୟିତ୍ବରେ ରହିବେ ।

ପ୍ରିୟଙ୍କା ଗାନ୍ଧିଙ୍କୁ ସକ୍ରିୟ ରାଜନୀତିକୁ ଆଣିବା ନେଇ ତାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ଏହା କଂଗ୍ରେସ ଭିତରେ ନୂଆ ଉତ୍ସାହ ସୃଷ୍ଟି କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କରିଛନ୍ତି କଟାକ୍ଷ । ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶକୁ କଟାକ୍ଷ କରି ମୋଦି କହିଛନ୍ତି କିଛି ଲୋକଙ୍କ ପାଇଁ ପରିବାର ଅର୍ଥ ହେଉଛି ଦଳ ।

ମହାରାଷ୍ଟ୍ରର ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ବେଳେ ମୋଦି କହିଲେ ଯେ “ଆମ ଦଳରେ କିଏ କେଉଁ ପରିବାରରୁ ଆସିଛି ବା କୌଣସି ନିର୍ଦ୍ଦିଷ୍ଟ ପରିବାର କ’ଣ ଚାହୁଁଛି ତାକୁ ଦୃଷ୍ଟିରେ ରଖି କୌଣସି ନିଷ୍ପତ୍ତି ନିଆଯାଏ ନାହିଁ । ଅନେକଙ୍କ ପାଇଁ ପରିବାରକୁ ଦଳ ବୋଲି କୁହାଯାଇଥାଏ । କିନ୍ତୁ ବିଜେପି ପାଇଁ ଦଳ ହେଉଛି ପରିବାର । ବିଜେପି ହେଉଛି ଏକମାତ୍ର ଦଳ, ଯିଏ ଲୋକତନ୍ତ୍ରର ସିଦ୍ଧାନ୍ତକୁ ପାଳନ କରୁଛି । ଗଣତନ୍ତ୍ର ଆମ ସଂସ୍କୃତିର ଏକ ଅଂଶ । ଦଳୀୟ କର୍ମକର୍ତ୍ତାମାନଙ୍କ ଦ୍ୱାରା ବିଜେପି ଗଠନ ହୋଇଛି, ଯାହାକୁ ଦେଶ ପାଇଁ ସମର୍ପିତ କରାଯାଇଛି ।”

Related Posts