ଅନ୍ଧାରୀ ବିଜେର କରୁଣ ପରିଣତି, ତିନିଘଂଟା ଅଟକ ରହିଲେ ବିଜେପି ପ୍ରାର୍ଥୀ ରବି ମଲ୍ଲିକ

ସତ୍ୟପାଠ ବ୍ୟୁରୋ : ଅନ୍ଧାରୀ ବିଜେ କରୁଥିଲେ ବିଜେପି ପ୍ରାର୍ଥୀ ! ଲୋକେ ଧରିଲେ, ତିନି ଘଂଟା ଅଟକ ରଖିଲେ । ପରିସ୍ଥିତି ଏମିତି ହେଲା ଯେ, ପୁରା ଗାଁ ଉଠି ଆସି ତାଙ୍କୁ ଘେରାବନ୍ଦୀ କରି ରଖିଲା । ଶେଷରେ ପୁଲିସ ଉଦ୍ଧାର କଲା ପ୍ରାର୍ଥୀଙ୍କୁ । ରାତି ଅଧରେ ଅନ୍ଧାରୀବିଜେ କରି ଏମିତି ହଟହଟା ହୋଇଛନ୍ତି କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ।

ରବିଙ୍କ ନାଁରେ ସଂଗୀନ ଅଭିଯୋଗ । ରାତି ଅଧରେ ଗାଁ ରେ ପଶି ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ । ସଂଧ୍ୟା ୭ଟା ପରେ କୌଣସି ପ୍ରାର୍ଥୀ ପ୍ରଚାର କରି ପାରିବେନି ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ବିଜେପି ପ୍ରାର୍ଥୀ ରବି ମଲ୍ଲିକ କେଉଁ ଉଦ୍ଦେଶ୍ୟ ନେଇ ଗାଁକୁ ଯାଇଥିଲେ ବୋଲି ପ୍ରଶ୍ନ କରି ତାଙ୍କୁ ଗାଁରେ ପୁରାଇଦେଲେନି ଗ୍ରାମବାସୀ ।

ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ସ୍ଥାନୀୟ ଶ୍ରୀରାମ ପୁର ଗାଁ ଭିତରକୁ ଯାଇଥିଲେ । ତେବେ ଏତେ ରାତିରେ ବିଧାୟକ ପ୍ରାର୍ଥୀଙ୍କୁ ଗାଁ ଭିତରେ ଦେଖି ବାଟ ଓଗାଳିଥିଲେ ଲୋକେ । ଯାହା କାମ ଅଛି ଦିନରେ ସ୍ପଷ୍ଟ ଦିବାଲୋକରେ ଆସନ୍ତୁ, ନିର୍ବାଚନ ସମୟରେ ରାତିରେ ଆମ ଗାଁକୁ କେହି ନେତା ଆସିବେନି କହି ରବିଙ୍କୁ ବାଟ ଓଗାଳିଥିଲେ ଗାଁ ଲୋକେ । ରବିଙ୍କ ସାଙ୍ଗରେ ଥିବା କିଛି ସମର୍ଥକ ହୋ-ହାଲ୍ଲା କରିବା ପରେ ଉତ୍ୟକ୍ତ ଗ୍ରାମବାସୀ ରବିଙ୍କୁ ଅଟକ ରଖିଥିଲେ ଓ ପରେ ପୁଲିସ ପହଂଚି ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ତେବେ ଏନେଇ ରବି ମଲ୍ଲିକ କାକଟପୁର ଥାନାରେ ଅଭିଯୋଗ କରିଛନ୍ତି । ନିଜ ସମର୍ଥକଙ୍କୁ ଭେଟିବାକୁ ରାତି ସାଢ଼େ ୧୧ଟାରେ ସେ ଶ୍ରୀରାମପୁର ଯାଇଥିବା ବେଳେ ସେଠାରେ ତାଙ୍କୁ ଅଟକ ରଖାଯାଇଥିବା ଓ ଆକ୍ରମଣ ହୋଇଥିବା ରବି ଅଭିଯୋଗ କରିଛନ୍ତି ।

Related Posts