ବର୍ଷାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି ବିଜେପି ନେତା: ଜୁଏଲ୍, ଜୟନାରାୟଣ ଓ ପ୍ରଦୀପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ଦିନ ପ୍ରଚାରରେ ପଦ୍ମପୁର ମାହୋଲ ସରଗରମ ରହିଛି। ତିନି ଦଳ ମୈଦାନରେ ଘମାଘୋଟ ଲଢେଇ ଲାଗିଥିବା ବେଳେ ନିର୍ବାଚନ ଅଧିକାରୀଙ୍କୁ ବି ଆୟୁଧ କରିଛନ୍ତି । ବିଜେଡି ଆଜି ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ନେତାଙ୍କ ବିରୁଦ୍ଧରେ ଫେରାଦ ହୋଇଛି ।ନିଜ ଅଭିଯୋଗପତ୍ରରେ ବିଜେପି ନେତା ଜୁଏଲ ଓରାମ, ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତଙ୍କୁ ପକ୍ଷ କରିଛି ବିଜେଡି ।

ବିଜେଡି ପ୍ରାର୍ଥିନୀ ବର୍ଷା ରାଣୀ ସିଂ ବରିହାଙ୍କ ନାଁରେ ଅପମାନସୂଚକ, ଆପତ୍ତିଜନକ, ଅଶାଳୀନ ଆଦି ମନ୍ତବ୍ୟ ବିଜେପି ନେତା ମାନେ ଦେଇଥିବା ନେଇ ଅଭିଯୋଗ ଦାୟର କରିଛି ବିଜେପି । ସାମ୍ୱାଦିକ ସମ୍ମିଳନୀ କରି ଜୁଏଲ ଓରାମ୍ ବର୍ଷାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯେଉଁଥି ପାଇଁ ବର୍ଷା ପୋଲିସରେ ବି ଅଭିଯୋଗ କରିଥିବା ବିଜେଡି ଉଲ୍ଲେଖ କରିଛି ।

ସେହିପରି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ନିଜେ ଜେଲ୍ ଯାଇ ବେଲ୍ ରେ ଆସିଛନ୍ତି, ହେଲେ ବର୍ଷାଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ପ୍ରଚାର ଓ ସାମ୍ୱାଦିକ ସମ୍ମିଳନୀରେ ବର୍ଷାଙ୍କୁ ଆକ୍ଷେପ କରି ନାନା ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ଖାଲି ସେତିକି ନୁହେଁ ବର୍ଷାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । ସମାଲୋଚନା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସୁସ୍ଥ ପରମ୍ପରା । ହେଲେ ପଦ୍ମପୁରର ଝିଅ ବର୍ଷା ସିଂ ବରିହାଙ୍କୁ ବିରୋଧୀ ଦଳ ପକ୍ଷରୁ ମାନସିକ ନିର୍ଯାତନା ଦିଆଯାଉଛି । ବିଜେପି ପକ୍ଷରୁ ଲଗାତର ଭାବେ ବର୍ଷାଙ୍କୁ ଅପମାନିତ କରାଯାଉଛି । ବିଭିନ୍ନ ମନ୍ତବ୍ୟ ଦେଇ ମାନସିକ ଆଘାତ ଦିଆଯାଉଛି । ବର୍ଷାଙ୍କୁ ଅପମାନିତ କରିବାକୁ ଯେମିତି ବିଜେପି ମଧ୍ୟରେ ଚାଲିଛି ପ୍ରତିନ୍ଦ୍ୱନ୍ଦିତା । ଏନେଇ ଏକ ପେନ୍ ଡ୍ରାଇଭ ବି ବିଜେଡି ନିର୍ବାଚନ ଅଧିକାରୀଙ୍କୁ ହସ୍ତାନ୍ତର କରିଛି । ବିଜେପିର ଆହୁରି ଅନେକ ନେତା ଜଣେ ମହିଳା ପ୍ରାର୍ଥିନୀଙ୍କ ସମ୍ମାନକୁ ଆଞ୍ଚ ଆଣିଛନ୍ତି । ତେଣୁ ଜୁଏଲ୍, ଜୟନାରାୟଣ ଓ ପ୍ରଦୀପ ପୁରୋହିତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।

Related Posts