ବିଜେଡି ସାଂସଦ ଭର୍ତ୍ତୃହରି ମହତାବ , ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ମାନସିକ , ଶାରୀରିକ ଓ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ ସାକ୍ଷୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିଜୁ ଜନତା ଦଳ  ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ବୋହୂ ସାକ୍ଷୀ ମହତାବ । ମଧ୍ୟପ୍ରଦେଶର ଭୋପାଳର ମହାଦେବ କମ୍ପ୍ଲେକ୍ସ ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ, ସ୍ୱାମୀ ଲୋକରଞ୍ଜନ ମହତାବ ଓ ଶାଶୁ ମହେଶ୍ବତା ମହତାବଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ୧୭-୦୮-୨୦୨୧ ମଙ୍ଗଳବାର ଦିନ ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ସାକ୍ଷୀଙ୍କ ଅଭିଯୋଗ ଆଧାରରେ ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ଆଇପିସିର ଧାରା ୪୯୮ (ଏ), ୫୦୬, ୩୪ ଓ ଯୌତୁକ ନିର୍ଯାତନା ଆଇନ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି।

ଅଭିଯୋଗ କଣ ? 

ବୋହୂ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପା ବିବାହରେ ୨.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ବାହାଘର କିଛି ଦିନ ପରେ ସ୍ୱାମୀ ଲୋକରଞ୍ଜନ ଓ ଶାଶୂ ଶ୍ୱଶୁର ତାଙ୍କୁ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଶାଶୂଘର ଲୋକ ଅଧିକ ଯୌତୁକ ଆଣିବାକୁ ବୋହୂଙ୍କ ଉପରେ ଚାପ ପକାଇଥିବା ସେ ଅଭିଯୋଗ କରିଛନ୍ତି। ସେ କଟକ ସ୍ଥିତ ବାସଭବନରେ ଥିବା ସମୟରେ ତାଙ୍କୁ ଅନେକ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ରହିବା ପାଇଁ ରୁମ୍ ଦିଆଯାଇ ନଥିଲା ଏବଂ ଘରର ଶିଡି ତଳେ ରହିବାକୁ କୁହାଯାଇଥିଲା। ଏହା ବ୍ୟତୀତ ତାଙ୍କ ଦ୍ବାରା ଘରର ସମସ୍ତ କାର୍ଯ୍ୟ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଅନେକ ଥର ପରସ୍ପର ସହ ଆଲୋଚନା କରି ଘର ଭିତରେ ଥିବା ସବୁ ଜିନିଷ ଠିକ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସମସ୍ୟାର ସମାଧାନ ହୋଇନଥିଲେ।  ସମ୍ପର୍କୀୟଙ୍କ ସାହାଯ୍ୟ ମଧ୍ୟ ନିଆଯାଇଥିଲା, ଏଥିରୁ ମଧ୍ୟ କିଛି ସୁଫଳ ମିଳି ନଥିଲା।

ଶେଷରେ ସାକ୍ଷୀ ବିବାହର କିଛି ଦିନ ପରେ ତାଙ୍କ ବାପା ଘର ଭୋପାଳକୁ ଚାଲି ଯାଇଥିଲେ।  ଏହା ପରେ ମଧ୍ୟ ନିର୍ଯ୍ୟାତନା ବନ୍ଦ ନହେବାରୁ  ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ କୋର୍ଟ ଦମ୍ପତ୍ତିଙ୍କୁ ଏକାଠି ରହିବା ପାଇଁ ପରାମର୍ଶ ଦେଇଥିଲେ। ଅଭିଯୋଗ ହୋଇଛି ଯେ ସାକ୍ଷୀ ତାଙ୍କ ଶାଶୁ ଘରେ ପହଞ୍ଚିବା ମାତ୍ରେ ତାଙ୍କୁ ଫେରାଇ ଦିଆଯାଇଥିଲା।  ଏହା ବ୍ୟତୀତ ୨୦୧୮ରେ ସେ ଦିଲ୍ଲୀର ସାଂସଦଙ୍କ ଶ୍ୱଶୁରଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ, ସେଠାରେ ଘର ଭିତରକୁ ଯିବା ପାଇଁ ଛିଡ଼ା ହୋଇ ରହିଲେ, କିନ୍ତୁ ତାଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିବା ନେଇ ସେ ଅଭିଯୋଗ କରିଛନ୍ତି। ତାପରେ ସାକ୍ଷୀ ପୁଣି ଭୋପାଳ ଚାଲି ଯାଇଥିଲେ। ଶାଶୂଘର ଲୋକ ବଦଳିଯିବା ଆଶାରେ ସେ କିଛି ଦିନ ଅପେକ୍ଷା କରିବା ପରେ ଶେଷରେ ଭୋପାଳ ମହିଳା ଥାନାର ଆଶ୍ରୟ ନେଇଛନ୍ତି।

ସୂଚନା ଥାଉ କି ଭୋପାଳର ମହାଦେବ କମ୍ପ୍ଲେକ୍ସର ବାସିନ୍ଦା ସାକ୍ଷୀ ୨୦୧୬ ମସିହାରେ ଓଡ଼ିଶାର କଟକରୁ ବିଜୁ ଜନତା ଦଳ ସାଂସଦ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଞ୍ଜନଙ୍କ ସହ ବିବାହ କରିଥିଲେ। ସ୍ୱାମୀ ଲୋକରଞ୍ଜନ ଦିଲ୍ଲୀରେ ରୁହନ୍ତି ଏବଂ ବୃତ୍ତିରେ ଜଣେ ବ୍ୟବସାୟୀ ।

Related Posts