ଭର୍ତ୍ତୃହରିଙ୍କ ଇସାରା କୁଆଡେ ?; କହିଲେ, ‘ସମୟ ଆସିଲେ ୪ଟି ବିଷୟରେ କହିବି’

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ୨୦୨୪ରେ ରହିଛି ସାଧାରଣ ନିର୍ବାଚନ ତେବେ ଏଥର ଆଗୁଆ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହାରି ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ଭିତରେ କନ୍ଦଳ ଓ ଦ୍ଵନ୍ଦ୍ବ ବଢୁଥିବା ଚର୍ଚ୍ଚା ହେଉଛି । ନିକଟରେ ଅନୁଷ୍ଠିତ ବିଜେଡିର ପ୍ରତିଷ୍ଠା ଦିବସରେ ପୁରୀ ସାଂସଦ ପିନାକୀ ମିଶ୍ର ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ନଦେବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଏହାରି ଭିତରେ ପ୍ରତିଷ୍ଠା ଦିବସରେ ଯୋଗ ନଦେବା ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି ଯେ, ସ୍ଵାଧୀନତା ସଂଗ୍ରାମୀ ଦିବସ ଦିନ ଏହି ବିଷୟରେ ଚର୍ଚ୍ଚା ନ କରିବା ଭଲ। ମୋର ୪ଟି ବିଷୟରେ କହିବାର ଅଛି, ଖୁବଶୀଘ୍ର କହିବି ବୋଲି କହି ରାଜନୈତିକ ଉଷ୍ମତା ବଢାଇ ଦେଇଛନ୍ତି ଭର୍ତ୍ତୃହରି ।

ଭର୍ତ୍ତୃହରି କହିଛନ୍ତି ଯେ, ମୋର ୪ ଟି ବିଷୟରେ କହିବାର ଅଛି, ଖୁବଶୀଘ୍ର କହିବି । କିନ୍ତୁ ଆଜି ନୁହେଁ । ମନ୍ମଥ ଦାସଙ୍କ ଗୋଟେ ଲେଖା ଅଛି ଦେଖା ହେଲେ କହିବି ସେ କଥା । ତେଣୁ ଦେଖା ହେବ ଯେତେବେଳେ ସେତେବେଳେ କହିବି ବୋଲି ସେ କହିଛନ୍ତି। ତେବେ ସଂଗଠନ ଉପରେ କହିବେ ତ ପ୍ରଶ୍ନରେ ସେ କହିଛନ୍ତି ଯେ, “ସବୁ କହିବି, ଦେଖା ହେଲେ ସବୁ କହିବି ।” ୨୦୨୪ରେ ନିର୍ବାଚନ ଲଢ଼ିବେ କି ନାହିଁ ପ୍ରଶ୍ନରେ ଭର୍ତ୍ତୃହରି କହିଛନ୍ତି ଯେ, “ତାହା ବି ଗୋଟେ ପ୍ରସଙ୍ଗ ।” ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ଥିବା ନେଇ ପଚାରିବାରୁ ଭର୍ତ୍ତୃହରି କହିଛନ୍ତି, “ଆପଣ ଏନେଇ ପିନାକୀ ମିଶ୍ରଙ୍କୁ କିଛି ପଚାରିଛନ୍ତି କି । କେଉଁଠି ଥିଲେ ପିନାକୀ ବାବୁ ?” ଦଳରେ ବରିଷ୍ଠ ମାନଙ୍କୁ ଅଣଦେଖା କରାଯାଉଛି କି ପ୍ରଶ୍ନରେ “ସେମିତି କିଛି ନାହିଁ” ବୋଲି କହିଛନ୍ତି ଭର୍ତ୍ତୃହରି ।

ନବୀନ ପଟ୍ଟନାୟକ ୧୦୦ ବର୍ଷ ଶାସନ କରିବାକୁ ଆହ୍ବାନ ଦେବା ପ୍ରସଙ୍ଗରେ ସେ କହିଛନ୍ତି, “ନବୀନ ବାବୁ ଯେଉଁ କଥା କହିଛନ୍ତି ସେ ମର୍ମଟିକୁ ସେ ବୁଝିଛନ୍ତି । ମହିଳାମାନଙ୍କର ଆଶୀର୍ବାଦ ଦଳ ପ୍ରତି ରହିଲେ ଆମେ ୧୦୦ ବର୍ଷ ଲୋକଙ୍କ ସେବା କରିବୁ । ତାହା ଦଳର ସମସ୍ତ କର୍ମୀ ଓ ନେତୃତ୍ବଙ୍କ ଏକ ଆହ୍ବାନ ।” ତେବେ ବିଜେପି ସବୁ ଲୋକସଭା ଆସନ ଉପରେ ଫୋକସ୍ କରୁଛି ଏବଂ କଟକରେ ବି କରିବାକୁ ଯାଉଛି । କଣ ପ୍ରଭାବ ପକାଇବ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “୨୦୧୪ରୁ ବିଜେପି ଫୋକସ୍ କଲେଣି । ୨୦୧୯ ନିର୍ବାଚନରେ ବିଜେପି କଟକରେ ୪ ଲକ୍ଷ ଭୋଟ ପାଇଥିଲେ । ସେମାନେ ତାଙ୍କ ଦଳର କାର୍ଯ୍ୟ କରୁଛନ୍ତି ଆମେ ବି ଆମ ଦଳର କାର୍ଯ୍ୟ କରୁଛୁ ।”

ସେପଟେ ଏନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ପ୍ରତିଷ୍ଠା ଦିବସ ବହୁତ ଭଲ ଭାବେ ହୋଇଛି । ସମସ୍ତଙ୍କ ଯୋଗଦାନରେ ହୋଇଛି । ସ୍ବାସ୍ଥ୍ୟଗତ କିମ୍ବା ଅନ୍ୟାନ୍ୟ କାରଣରୁ ପିନାକୀ ଓ ଭର୍ତ୍ତୃହରି ଯୋଗ ଦେଇନଥିଲେ । ସେଥିରେ କିଛି ରାଜନୈତିକ କାରଣ ନାହିଁ । ପିନାକୀ ଓ ଭର୍ତ୍ତୃହରି ଯୋଗ ନଦେବା ନେଇ କୌଣସି ଦ୍ଵନ୍ଦ୍ବ ନାହିଁ । ସମସ୍ତେ ପ୍ରାୟ ଯୋଗ ଦେଇଛନ୍ତି । ଯେଉଁମାନେ ଯୋଗ ଦେଇନାହାନ୍ତି, ସେମାନଙ୍କର ଶୁଭେଚ୍ଛା ରହିଛି । ମୁଁ ପିନାକୀ ଓ ଭର୍ତ୍ତୃହରିଙ୍କ ସହ ଆଲୋଚନା କରିଛି ବୋଲି ଦେବୀ ମିଶ୍ର କହିଛନ୍ତି ।

Related Posts