ବିଜେପି-ଶିବସେନା ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା : ଭାଜପା ନେତାଙ୍କ ସହ ବୈଠକକୁ ନେଇ ସ୍ପଷ୍ଟୀକରଣ ରଖିଲେ ସଂଜୟ ରାଉତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶିବସେନା ନେତା ସଞ୍ଜୟ ରାଉତ ଏବଂ ଭାଜପାର ପୂର୍ବତନ ମୁମ୍ବାଇର ଅଧ୍ୟକ୍ଷ ଆଶିଷ ଶେଲାରଙ୍କ ଭେଟଘାଟକୁ ନେଇ ଏବେ ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ରାଜନୀତି। ଏହି ଦୁଇ ନେତାଙ୍କ ସାକ୍ଷାତକାରକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସଂଜୟ ରାଉତ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ରାଉତ କହିଛନ୍ତି ଯେ ସେମାନେ ଏକ ସାମାଜିକ ସମାବେଶରେ ପରସ୍ପରକୁ ଭେଟିଥିଲୁ । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ରାଉତ କହିଛନ୍ତି – “ମୁଁ ଆଶିଷଙ୍କୁ କେବଳ ଏକ ସାମାଜିକ ସମାବେଶରେ ଭେଟିଛି। ମହାରାଷ୍ଟ୍ରର ରାଜନୀତି ଭାରତ ଏବଂ ପାକିସ୍ତାନ ଭଳି ନୁହେଁ। ରାଜନୈତିକ ମତଭେଦ ସତ୍ତ୍ୱେ ଆମେ ଏକାଠି ରହିଥାଉ । ଯେଉଁମାନେ ମୋତେ ପସନ୍ଦ କରୁ ନାହାନ୍ତି ସେମାନେ ବିଧାନସଭା ଅଧିବେଶନ ପୂର୍ବରୁ ଗୁଜବ ପ୍ରଚାର କରୁଛନ୍ତି ।” ସୂଚନାଯୋଗ୍ୟ ଯେ ପୂର୍ବରୁ ଆଶିଷ ଶେଲାର ସଂଜୟ ରାଉତଙ୍କ ସହ ଏଭଳି କୈଣସି ବୈଠକକୁ ନେଇ ଅସ୍ୱୀକାର କରିଥିଲେ, କିନ୍ତୁ ବିଧାନ ପରିଷଦରେ ବିରୋଧୀ ଦଳର ନେତା ପ୍ରବୀଣ ଡାରେକର ଏହି ମିଟିଂକୁ ସୌଜନ୍ୟମୂଳକ ବୈଠକ ବୋଲି କହିଥିଲେ। ଗତ ବିଧାନସଭା ନିର୍ବାଚନ ପରଠାରୁ ବିଜେପି-ଶିବସେନା ମଧ୍ୟରେ ଗଠବନ୍ଧନ ଭାଙ୍ଗିବା ପରେ ଉଭୟ ଦଳ ପରସ୍ପର ବିରୋଧରେ ବୟାନବାଜି କରିଥାନ୍ତି। ବିଶେଷକରି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ସ୍କର୍ପିଓ ମିଳିବା ପରଠାରୁ ଶିବସେନା ଉପରେ ବିଜେପି ଆଟାକ୍ କରିବାର ସୁଯୋଗ ପାଇଛି । ମହାରାଷ୍ଟ୍ରରେ ଏନଆଇଏ, ସିବିଆଇ ଏବଂ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଚାଲିଥିବା ବିଭିନ୍ନ ତଦନ୍ତକୁ ନେଇ ଶିବସେନା ନେତାମାନେ ଅଡୁଆରେ ପଡିଛନ୍ତି। କିଛି ଦିନ ପୂର୍ବରୁ ଶିବସେନା ବିଧାୟକ ପ୍ରତାପ ସାରନାଇକ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ତାଙ୍କୁ ବିଜେପିର ସାମିଲ୍ ହେବା ପାଇଁ ଅନୁରୋଧ କରିଥିଲେ। ଏଭଳି ପରିସ୍ଥିତିରେ ପ୍ରତିଦିନ ବିଜେପି ବିରୋଧରେ ବୟାନ ଦେଉଥିବା ସଂଜୟ ରାଉତ ଆଶିଷ ଶେଲାରଙ୍କ ସହ ସାକ୍ଷାତ କରିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Related Posts