ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ସେପଟେ ପୋଲିଂ ବୁଥମାନଙ୍କରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଏହା ମଧ୍ୟରେ ଲକ୍ଷ୍ମୀପୁର ଖେରୀର ଏକ ବୁଥରେ ଇଭିଏମର ପ୍ରତ୍ୟେକ ବଟନ ଉପରେ ବିଜେପି ସ୍ଲିପ ବାହାରୁଛି, ଯାହା ପରେ ସେଠାରେ ପ୍ରାୟ ଦୁଇ ଘଣ୍ଟା ଧରି ଭୋଟ୍ ବନ୍ଦ ହୋଇଯାଇଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଲଖିମପୁର ଖେରୀର ଫରଧାନ ପୁଲିସ ଷ୍ଟେସନ ପରିସରର ବୁଥ ନମ୍ବର ୮୫ରେ ମାକପାଲ ସମୟରେ କୌଣସି ବଟନ୍ ଦବାଇଲେ କେବଳ ପଦ୍ମର ହିଁ ସ୍ଲିପ୍ ବାହାରକୁ ଆସୁଥିଲା ।

ଏହି କାରଣରୁ ଦୁଇ ଘଣ୍ଟା ଧରି ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ତହସିଲଦାର ସଦର ଏବଂ ସେକ୍ଟର ମାଜିଷ୍ଟ୍ରେଟ ଡକ୍ଟର ରାକେଶ ଭର୍ମା ଘଟଣାସ୍ଥଳରେ ପହଞ୍ଚି ନୂତନ ଇଭିଏମ ମେସିନ ଦେଇଥିଲେ। ଏହା ପରେ ସକାଳ ୮:୫୫ ରେ ଭୋଟ୍ ପୁଣିଥରେ ଆରମ୍ଭ ହୋଇଥିଲା । ଅନ୍ୟପଟେ ରାଜ୍ୟର ଚତୁର୍ଥ ପର୍ଯ୍ୟାୟରେ ବାନ୍ଦା, ଫତେହପୁର, ହାର୍ଡୋଇ, ଲକ୍ଷ୍ମୀପୁର ଖେରୀ, ଲକ୍ଷ୍ନୌ, ରାଇବରେଲି, ସୀତାପୁର, ପିଲିବିଟ୍ ଏବଂ ଉନ୍ନାଓରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏଠାରେ ୫୯ ଟି ଆସନ ପାଇଁ ମୋଟ ୬୨୪ ଜଣ ପ୍ରାର୍ଥୀ ଅଛନ୍ତି। ଗତ ଥର ଏହି ସିଟ୍ ମଧ୍ୟରୁ ୫୦ ଟି ବିଜେପି ଆକାଉଣ୍ଟକୁ ଯାଇଥିବାବେଳେ ଗୋଟିଏ ସିଟ୍ ଆପ୍ନା ଦଳ କବଜା କରିଥିଲା। ଅନ୍ୟ ଆଠଟି ଆସନ ମଧ୍ୟରୁ ଏସପି ଚାରିଟି ଜିତିଥିବାବେଳେ କଂଗ୍ରେସ ଏବଂ ବିଏସପି ଦୁଇଟି ସିଟ୍ ଜିତିଥିଲେ ।