ବେଙ୍ଗଲ ବିଭାଜନ ଦାବି ବିଜେପିର ଏକ ସୁଚିନ୍ତିତ ଷଡଯନ୍ତ୍ର : ଅଧୀର ରଂଜନ ଚୌଧୁରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ସାସଂଦଙ୍କ ପଶ୍ଚିମବଙ୍ଗ ବିଭାଜନ ବୟାନକୁ ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ବେଙ୍ଗଲକୁ ବିଭାଜନ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ନିକଟରେ ବିଜେପି ସାଂସଦ ଜନ୍ ବାର୍ଲା ନର୍ଥ ବେଙ୍ଗଲର ଜିଲ୍ଲାଗୁଡ଼ିକୁ ମିଶାଇ ଏକ କେନ୍ଦ୍ରଶାସିତ ପ୍ରଦେଶ ଗଠନ କରିବା ପାଇଁ ଦାବି କରିଥିଲେ। ସେହିଭଳି ବିଜେପି ସାଂସଦ ସୁମିତ୍ରା ଖାନ ମଧ୍ୟ ଦକ୍ଷିଣ ବେଙ୍ଗଲର ଜଙ୍ଗଲମାହାଲକୁ ବିଭାଜନ କରିବାକୁ ଦାବି କରିଥିଲେ। ଏହାକୁ ନେଇ କଂଗ୍ରେସ ପାର୍ଟି କଡା ବିରୋଧ କରିଥିବା ବେଳେ ବେଙ୍ଗଲ ବିଜେପି ନେତାମାନେ ବିଭାଜନ ସପକ୍ଷରେ ନାହାଁନ୍ତି ବୋଲି ସଫେଇ ଦେଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟ କଂଗ୍ରେସ ସଭାପତି ଆଧୀର ରଂଜନ ଚୌଧୁରୀ ଅଭିଯୋଗ କରିଛନ୍ତି, ‘ବିଜେପିର ଏଭଳି ପଦକ୍ଷେପ ପଛରେ ଆରଏସଏସ ହାତ ଥିବା କଥା ସମସ୍ତଙ୍କୁ ଜଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରଏସଏସ ଦ୍ୱାରା ପ୍ରଭାବିତ ଏବଂ ମୁସଲିମ ସଂଖ୍ୟାଗରିଷ୍ଠ ରାଜ୍ୟ ଗୁଡ଼ିକୁ ଅଲଗା ରାଜ୍ୟ କରିବା ଆରଏସଏସର ଏକ ପୁରୁଣା ଯୋଜନା । ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ପାଇଁ ତାଙ୍କର ଏହି ଯୋଜନା ବୋଲି ସେ କହିଛନ୍ତି। ଏହି ବିବାଦୀୟ ବୟାନକୁ ନେଇ ବିଜେପି ନେତୃତ୍ୱ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ଆମର କିଛି ନେତା ବ୍ୟକ୍ତିଗତ ମନ୍ତବ୍ୟ ଦେଇଛନ୍ତି। ପାର୍ଟି ତାଙ୍କର ଏହି ମନ୍ତବ୍ୟ ସହ ସହମତ ନୁହେଁ। ପାର୍ଟି ବେଙ୍ଗଲ ବିଭାଜନ ବିରୁଦ୍ଧରେ ଅଟେ ବୋଲି ସେ କହିଛନ୍ତି। ପାର୍ଟିର ଷ୍ଟାଣ୍ଡକୁ ଉଲ୍ଲଂଘନ କଲେ ବରଦାସ୍ତ କରାଯିବ ନାହିଁ ବୋଲି ଘୋଷ କହିଛନ୍ତି ।

Related Posts