ନୂଆଦିଲ୍ଲୀ : ଆସାମ ଓ ମେଘାଳୟ ସୀମା ମଧ୍ୟରେ ଲାଗିରହିଥିବା ସୀମା ବିବାଦର ଘଟିଲା ଅନ୍ତ । ଦୀର୍ଘ ୫୦ ବର୍ଷଧରି ଲାଗି ରହିଥିବା ଏହି ବିବାଦର ମଙ୍ଗଳବାର ସମାଧାନ ହୋଇଯାଇଛି। ଉଭୟ ରାଜ୍ୟଙ୍କ ମୁଖ୍ୟମନ୍ତ୍ରୀ ଏ ବାବଦେ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏନେଇ ଆଜିର ଦିନକୁ ଐତିହାସିକ ବୋଲି କହିଛନ୍ତି।
ଆସାମ ଓ ମେଘାଳୟ ସୀମାର ୧୨ଟି ସ୍ଥାନକୁ ନେଇ ଦୁଇ ରାଜ୍ୟଙ୍କ ମଧ୍ୟରେ ବିଦ୍ୱାଷ ଥିଲା। ଏଥିରୁ ପ୍ରଥମ ପର୍ଯ୍ୟାୟରେ ୬ଟି ବିବାଦୀୟ ସ୍ଥଳର ବିବାଦ ସମାଧାନ ହୋଇଯାଇଛି । ବୁଝାମଣାପତ୍ର ସ୍ୱାକ୍ଷର ପରେ କେନ୍ଦ୍ର ଗୃହମନ୍ତ୍ରୀ ଆଜିର ଦିନଟି ପୂର୍ବୋତ୍ତର ରାଜ୍ୟଙ୍କ ଲାଗି ଏକ ଐତିହାସିକ ଦିନ ବୋଲି କହିଛନ୍ତି। ବିବାଦ ମୁକ୍ତ ପୂର୍ବୋତ୍ତର ଲାଗି ଏହା ଦୁଇ ରାଜ୍ୟଙ୍କ ପ୍ରଥମ ପଦକ୍ଷେପ ବୋଲି ଶାହ କହିଛନ୍ତି। ୧୨ଟି ବିବାଦୀୟ ସ୍ଥଳ ମଧ୍ୟରୁ ମଙ୍ଗଳବାର ୬ଟିର ଆପୋଷ ସମାଧାନ ହୋଇପାରିଛି। ବାକି ୬ଟି ଲାଗି ପରବର୍ତ୍ତି ପର୍ଯ୍ୟାୟରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରାଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।
ପୂର୍ବୋତ୍ତର ଶାନ୍ତି ପ୍ରକ୍ରିୟା, ବିକାଶ, ସମୃଦ୍ଧି ଲାଗି ପ୍ରଧାନମନ୍ତ୍ରୀ କେନ୍ଦ୍ରରେ ବିଜେପି ସରକାର ଆରମ୍ଭ ଦିନରୁ ଉଦ୍ୟମ କରିଆସୁଥିବା ଶାହ କହିଛନ୍ତି। ଶାନ୍ତି ପ୍ରକ୍ରିୟା ସହ ଏଠାକାର ସଂସ୍କୃତି ଓ ଐତିହ୍ୟର ସମ୍ବର୍ଦ୍ଧନ ଲାଗି ପ୍ରଧାନମନ୍ତ୍ରୀ ଅନେକ ବଡ଼ ପ୍ରୟାଶ ମଧ୍ୟ କରିଛନ୍ତି। ଦୁଇ ରାଜ୍ୟଙ୍କ ସୀମାର ଦୈର୍ଘ୍ୟରୁ ଅନୁନ୍ୟ ୭୦ ପ୍ରତିଶତ ବିବାଦ ସମାଧାନ ହୋଇପାରିଥିବା ଗୃହମନ୍ତ୍ରୀ କହିଛନ୍ତି। ଏଥିରୁ ବାକି ୬ଟି ବିବାଦର ମଧ୍ୟ ନିକଟ ଭବିଷ୍ୟତରେ ସମାଧାନ ନେଇ ଶାହ ଆଶା ବ୍ୟକ୍ତ କରିଛନ୍ତି।





