ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ବିଜେପି ବିରୋଧରେ ଏକଜୁଟ ହେବାକୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକତା: କେନ୍ଦ୍ର ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଣ ବିଜେପି ଶାସିତ ରାଜ୍ୟଙ୍କ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ପତ୍ର ଲେଖି ଏକଜୁଟ ହେବାକୁ ପଡିବ ବୋଲି କହିଛନ୍ତି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ କେନ୍ଦ୍ରରେ ଅବସ୍ଥାପିତ ବିଜେପି ସରକାର ହତ୍ୟା କରୁଛନ୍ତି। ଏଥିରେ ବିରୋଧୀ ଏକଜୁଟ ହେଲେ ହିଁ ଦେଶରେ ବିଜେପିକୁ ମୁକାବିଲା କରାଯାଇ ପାରିବ ବୋଲି ମମତା ପତ୍ରରେ ଉଲ୍ଲେଖ କରିଛନ୍ତି।

ମମତାଙ୍କ ପତ୍ର ସମ୍ପର୍କରେ ତୃଣମୂଳ ସାଂସଦ ଡୋଲା ସେନ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ବିରୋଧୀଙ୍କୁ ଦବାଇବା ଲାଗି କେନ୍ଦ୍ର ସରକାର କେବଳ କେନ୍ଦ୍ରୀୟ ଏଜେନ୍ସୀଙ୍କ ତ୍ରୁଟିପୂର୍ଣ୍ଣ ଉପଯୋଗ କରୁଛନ୍ତି ତା ନୁହେଁ ଅଣ ବିଜେପି ରାଜ୍ୟରେ ପକ୍ଷପାତ ନୀତି ରଖୁଥିବା ରାଜ୍ୟପାଳମାନଙ୍କୁ ନିଯୁକ୍ତ କରି ରାଜ୍ୟମାନଙ୍କର ସମସ୍ୟା ବହୁଗୁଣିତ କରିବାକୁ ଉଦ୍ୟମ କରୁଛନ୍ତି। ଏଥିରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏହାର ନମୁନା ଭାବେ ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି।

ଏଣୁ ମମତା ବିରୋଧୀ ଦଳମାନଙ୍କୁ ପତ୍ର ଲେଖି ଦେଶରେ ବିଜେପି ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ମମତା ଏପରି ଏକ ସମୟରେ ଏହି ପତ୍ର ଲେଖିଛନ୍ତି ଯେତେବେଳେ କେନ୍ଦ୍ର ବିଜେପି ସରକାର ପଶ୍ଚିମବଙ୍ଗରେ ଅରାଜକ ପରିବେଶକୁ ଦେଖି ରାଷ୍ଟ୍ରପତି ଶାସନ ଲାଗି ବିଚାର କରୁଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଓ ବିଜେପି ବିରୋଧୀରେ ଏବେ ଅଣ ବିଜେପି ରାଜନୈତିକ ଦଳ ମାହୋଲ ସୃଷ୍ଟି କରିବାର ସମୟ ଆସିଛି ।

Related Posts