ସୁଖୋଇ ବିମାନରୁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ, ୪୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି ଲକ୍ଷ୍ୟଭେଦ କ୍ଷମତା

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଭାରତୀୟ ବାୟୁସେନା ଗୁରୁବାର ଦିନ ଏକ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଂପ୍ରସାରିତ ରେଞ୍ଜ ସଂସ୍କରଣର ସଫଳ ପରୀକ୍ଷଣ କରିଛି। ଏହି ବ୍ରହ୍ମସର ଲକ୍ଷ୍ୟଭେଦ ଦୂରତା ୪୦୦ କିଲୋମିଟର ବୋଲି ଜଣାପଡ଼ିଛି ।

ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବୟାନରେ କୁହାଯାଇଛି ଯେ, ‘ଏହି ପରୀକ୍ଷଣ ସଫଳ ହୋଇଛି ଓ କ୍ଷେପଣାସ୍ତ୍ରଟି ଆବଶ୍ୟକ ମାନଦଣ୍ଡକୁ ପାଳନ କରିବା ସହ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି ।ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ସୁଖୋଇ ସ୍ଥଳ ଓ ଜଳଭାଗରେ ଥିବା ଯେକୌଣସି ଟାର୍ଗେଟକୁ ଅତ୍ୟନ୍ତ ସଠିକତାର ସହିତ ଆକ୍ରମଣ କରିବାର କ୍ଷମତା ହାସଲ କରିଛି।’

ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ସୁ-୩୦ଏମକେଆଇ ବିମାନରେ ଖଞ୍ଜା ହେବା ପରେ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ବୃଦ୍ଧି ପାଇଛି । ଏହି ସଫଳତା ଭାରତୀୟ ବାୟୁସେନାକୁ ରଣନୈତିକ କ୍ଷମତାକୁ ଆହୁରି ବୃଦ୍ଧି କରିଛି ।

ତେବେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ୪୦୦ କିଲୋମିଟର ଦୂରରେ ସମୁଦ୍ରରେ ଥିବା ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ରଖିବ ବୋଲି ବିଶ୍ୱାସ କରାଯାଏ । ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ), ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) ଏବଂ ବ୍ରହ୍ମୋସ ଏରୋସ୍ପେସ୍ ଏହି ପରୀକ୍ଷଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନା, ହାଲ୍ ଓ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ।

Related Posts