କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବି.ଏସ୍ ୟେଦ୍ୟୁରପ୍ପା !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କର୍ଣ୍ଣାଟକ ବିଜେପିରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶୁକ୍ରବାର ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା। ଏହା ପରେ ଶନିବାର ଦିନ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ବୈଠକ ପରଠାରୁ ରାଜନୈତିକ ମହଲରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।  ଆଲୋଚନା ହେଉଛି ଯେ ମୁଖ୍ୟମନ୍ତ୍ରୀ ପଦରୁ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି ୟେଦ୍ୟୁରପ୍ପା । ସୂଚନାନୁସାରେ, ଇସ୍ତଫା ପଛର କାରଣ ବୃଦ୍ଧାବସ୍ଥା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ହୋଇପାରେ ବୋଲି କୁହାଯାଉଛି। ତେବେ ଏ ସବୁ ଚର୍ଚ୍ଚାକୁ ନିଜେ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଖଣ୍ଡନ କରିଛନ୍ତି।  

 ଇସ୍ତଫା ଦେବା ଖବରର କୌଣସି ସତ୍ୟତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା କହିଛନ୍ତି। ସେ ଇସ୍ତଫା ଦେଇଛନ୍ତି କି ନାହିଁ ପଚରାଯିବାରୁ ୟେଦୁରୁପ୍ପା ଇସ୍ତଫା ଦେଇନଥିବା ସ୍ପଷ୍ଟ କରିଛନ୍ତି। ଏହି ଗୁଜବରେ କୌଣସି ସତ୍ୟତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଗସ୍ତ ସମୟରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ. ଜଳ ଶକ୍ତି ମନ୍ତ୍ରୀ ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ ବୋଲି କହିଛନ୍ତି। କିଭଳି ମେକେଡାଟୁ ପ୍ରକଳ୍ପକୁ ପାଣି ଯୋଗାଇ ହେବ ସେ ବାହଦରେ ଆଲୋଚନା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୁକ୍ରବାର ୟେଦ୍ୟୁରପ୍ପା ନିଜ ପରିବାର ଲୋକଙ୍କ ସହିତ ଏକ ଚାଟାର୍ଡ ବିମାନରେ ଦିଲ୍ଲୀ ଆସିଥିଲେ

ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଜେପିରେ କ୍ଷମତାକୁ ନେଇ ବିଜେପିରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନେକ ନେତା ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ହୋଇ ଠିକ୍ ଭାବରେ ଦାୟିତ୍ୱ ନିର୍ବାହ କରିପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏବଂ ଦୁର୍ନୀତି ଏବଂ ପ୍ରଶାସନରେ ତାଙ୍କ ପରିବାରର ହସ୍ତକ୍ଷେପ ଅଭିଯୋଗରେ ଟାର୍ଗେଟ କରିଛନ୍ତି। ଏହାବାଦ ବିଭିନ୍ନ କାମ ବିନା ଟେଣ୍ଡରରେ ଚିହ୍ନା ପରିଚୟ ଲୋକଙ୍କୁ ଦିଆଯାଉଛି ବୋଲି ଦଳୀୟ ନେତା ଅଭିଯୋଗ କରିଥିଲେ। ଦଳର ଅନ୍ୟ ଏକ ଗୋଷ୍ଠୀ ୭୯ ବର୍ଷିୟ ୟେଦୁରୁପ୍ପାଙ୍କୁ ତାଙ୍କ ବୟସ ତଥା ୨୦୨୩ ବିଧାନସଭା ନିର୍ବାଚନରେ ​​ଏକ ନୂତନ ମୁଖ୍ୟମନ୍ତ୍ରୀ ପ୍ରୋଜେକ୍ଟ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହଟାଇବାକୁ ଦାବି କରିଛନ୍ତି।

Related Posts