ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ଦିନ ଯେତେ ଗଡିବାକୁ ଲାଗୁଛି, ତେବେ ବଡ ବଡ ତଥ୍ୟ ଉପରୁ ପରଦା ହଟିବାକୁ ଲାଗୁଛି | ବଡ ବଡ ଅଧିକାରୀ ଓ ନେତା ଏଥିରେ ସାମିଲ ଥିବା ନେଇ ଚର୍ଚା ଜୋର ଧରିଛି | ତେବେ ଏହି ବିଭତ୍ସ ହତ୍ୟା ପଛରେ ମୁଖ୍ୟ ଉଦେଶ୍ୟ ରହିଛି ଏକ କମ୍ପ୍ୟୁଟର ମେମୋରି ଚିପ୍ | ଯାହାକୁ ଚୋରି କରିଥିଲେ ମୃତକ ମାନସ | ପ୍ରାଥମିକ ତଦନ୍ତରୁ ଏହି ତଥା ସାମ୍ଙ୍କୁ ଆସିଛି | ସେଥିରେ କିଛି ନେତାଙ୍କ ଅଶ୍ଳୀଳ ଭିଡିଓ ରହିଛି । ଏହି ଖବର ଏବେ ରାଜନୈତିକ ମହଲରେ ଚହଳ ପକାଇଛି । ଉକ୍ତ ନେତା ଓ ସେ ପ୍ରତିନିଧିତ୍ୱ କରୁଥିବା ଦଳ ବିଷୟରେ ପୁଲିସ୍ ଜାଣିଛି । ହେଲେ ଘଟଣାର ତଦନ୍ତ ଚାଲିଥିବାରୁ ସେ ବିଷୟରେ କୌଣସି ତଥ୍ୟ ଦେବାକୁ ପୁଲିସ୍ ମନା କରିଦେଇଛି । ସେପଟେ ଏହି ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ୱେବ୍ ପୋର୍ଟାଲ ମାଲକାଣୀ ଶର୍ମିଷ୍ଠା ରାଉତ ଏବେ ଫେରାର୍ । ପୁଲିସ୍ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କ ସନ୍ଧାନ ପାଉନି । ଯାହାକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲାଗିଛି ।
ଶର୍ମିଷ୍ଠାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇସ୍ଥିତ ନରେନ୍ଦ୍ରପୁର ଗାଁରେ । ସେ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ଫ୍ଲାଟ୍ରେ ସପରିବାର ରହି ସାମ୍ବାଦିକତା କରୁଥିଲେ । ‘ସମ୍ପୂର୍ଣ୍ଣା’ ନାମକ ସାପ୍ତାହିକ ଖବରକାଗଜ ସହ ଏକ ୱେବ୍ ପୋର୍ଟାଲ ଖୋଲିଥିଲେ । ମାନସ ‘ସମ୍ପୂର୍ଣ୍ଣା’ ୱେବ୍ ପୋର୍ଟାଲରେ କ୍ୟାମେରା ମ୍ୟାନ୍ ଭାବେ କାମ କରୁଥିଲେ । ଏହି ସମୟରେ ଶର୍ମିଷ୍ଠାଙ୍କ କାରନାମା ବିଷୟରେ ଜାଣିବାକୁ ପାଇଥିଲେ ମାନସ । ଦରମା କମ୍ ମିଳୁଛି କହି ସେ ଚାକିରି ଛାଡ଼ି ପଳାଇଥିଲେ । ଯିବା ସମୟରେ ପୋର୍ଟାଲ ଅଫିସ୍ରୁ ଗୁପ୍ତ ତଥ୍ୟ ଥିବା ମେମୋରୀ ଚିପ୍ ଚୋରି କରି ନେଇଥିଲେ । ଏହାକୁ ନେଇ ବିଚଳିତ ଥିଲେ ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା । କାରଣ ସେ ଚିପ୍ରେ ଏକାଧିକ ନେତାଙ୍କ ଅଶ୍ଳୀଳ ଭିଡିଓ ରହିଥିଲା । ସବୁଠାରୁ ବଡ଼ କଥା ହେଲା ସୁନ୍ଦରପଦା ହାଇଟେକ୍ ପ୍ଲାଜା ଅଞ୍ଚଳରେ ଶର୍ମିଷ୍ଠା ଏକ ବୃଦ୍ଧାଶ୍ରମ ଖୋଲିଥିଲେ । ବୃଦ୍ଧାଶ୍ରମରେ ଏହି ଅଶ୍ଳୀଳ ଭିଡିଓ ସୁଟିଂ ହୋଇଛି ବୋଲି ପୁଲିସ୍ ଜାଣିବାକୁ ପାଇଛି ।
ବୃଦ୍ଧାଶ୍ରମ କେୟାରଟେକର ପୁଲିସକୁ କହିଥିଲେ, ଆଶ୍ରମର ଉପର ମହଲାର ୨ଟି ଘରେ ଅନେକ ସମୟରେ ଭିଡିଓ ରେକର୍ଡିଂ ହେଉଥିଲା । କିଛି ନେତା ଆସୁଥିଲେ, ସେମାନଙ୍କ ସାକ୍ଷାତକାର ହୁଏ ବୋଲି ଶର୍ମିଷ୍ଠାଙ୍କ ଠାରୁ ଜାଣିଥିଲେ । ନେତାଙ୍କ ସାକ୍ଷାତକାର ନେବାକୁ ବିଭିନ୍ନ ଯୁବତୀ ଆସନ୍ତି । ସେ ସବୁ ସୁଟିଂ ମାନସ କରନ୍ତି ବୋଲି କେୟାରଟେକର ପୁଲିସ୍କୁ ସୂଚନା ଦେଇଛନ୍ତି ।
କେୟାରଟେକରଙ୍କ ତଥ୍ୟରେ ପୁଲିସ୍ ‘ସମ୍ପୂର୍ଣ୍ଣା’ର ୟୁଟୁବ୍ ପେଜ୍ ଯାଞ୍ଚ କରିଥିଲା । ସେଥିରେ ଅନେକ ନ୍ୟୁଜ୍ ଅପ୍ଲୋଡ ହୋଇଛି । ହେଲେ କୌଣସି ନେତାଙ୍କର ସାକ୍ଷାତକାର ନାହିଁ । ଉକ୍ତ ୟୁଟୁବ୍ରେ ଶର୍ମିଷ୍ଠା ନିଜେ ଅନେକ ଆଧ୍ୟାତ୍ମିକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଘଟଣା ପୁଲିସ୍ ଆଗରେ ଅନେକ ପ୍ରଶ୍ନ ଠିଆ କରିଛି । ଯଦି ସେ ଆଶ୍ରମକୁ ନେତା ଯାଉଥିଲେ ଏବଂ ସେମାନଙ୍କ ସାକ୍ଷାତକାର ସୁଟିଂ ହେଉଥିଲା ତେବେ କ’ଣ ପାଇଁ ଉକ୍ତ ଫୁଟେଜ୍କୁ ‘ସମ୍ପୂର୍ଣ୍ଣା’ର ୟୁଟୁବ୍ ପେଜ୍ରେ ଅପ୍ଲୋଡ୍ କରୁନଥିଲେ ଶର୍ମିଷ୍ଠା । ସେଠାରେ ସାକ୍ଷାତକାର ଚାଲିଥିଲା ନାଁ ଆଉ କିଛି ତାହା ତଦନ୍ତ ପରେ ଜଣାପଡ଼ିବ । ସାମ୍ୱାଦିକା ଶର୍ମିଷ୍ଠାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ କହୁଛି ତାଙ୍କ ସହ ବହୁ ନେତା ମନ୍ତ୍ରୀଙ୍କ ଲିଙ୍କ୍ ରହିଛି । ବୃଦ୍ଧାଶ୍ରମରେ ଚାଲିଥିବା ଭିଡିଓ ସୁଟିଂରୁ ଏହି ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ଜଣାପଡ଼ିବା ପରେ ପୁଲିସର ଫୋକସ୍ ସେଠାରେ ପଡ଼ିଛି ।
ଏହି ଘଟଣା ପରଠାରୁ ଶର୍ମିଷ୍ଠା ଫେରାର ଅଛନ୍ତି । ସେ ତାଙ୍କ ଗାଁ ନରେନ୍ଦ୍ରପୁରରେ ବି ନାହାନ୍ତି । ତାଙ୍କ ଫେରାର ହେବା ହିଁ ପ୍ରମାଣ କରୁଛି ମାନସଙ୍କ ହତ୍ୟା ପଛରେ ତାଙ୍କର ଲିଙ୍କ୍ ରହିଛି ।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୭ ତାରିଖରେ ମାନସ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁରୁ ଭୁବନେଶ୍ୱର ଫେରୁଥିଲେ । ଏହି ସମୟରେ ଶର୍ମିଷ୍ଠାଙ୍କ ନିର୍ଦ୍ଦେଶରେ ଅଧା ରାସ୍ତାରୁ ୱେବ୍ ପୋର୍ଟାଲର ଅନ୍ୟ କର୍ମଚାରୀ ତାଙ୍କୁ ଅପହରଣ କରି ନେଇଥିଲେ । ମାନସଙ୍କୁ ଭୁବନେଶ୍ୱର ଆଣି “ସମ୍ପୂର୍ଣ୍ଣା’ ଅଫିସ୍ ପାଖରେ ଏକ ଘର ଭିତରେ ପୂରାଇ ନିର୍ଧୁମ ଛେଚିଥିଲେ । ଆଉ ମେମୋରି ଚିପ୍ ବିଷୟରେ ପଚାରିଥିଲେ ବୋଲି ଗିରଫ ଅଭିଯୁକ୍ତମାନେ ପୁଲିସ୍କୁ କହିଥିଲେ ।