ଅନୁଭବଙ୍କ ସହଯୋଗୀଙ୍କୁ ଜାତିଆଣ ଆକ୍ଷେପ ମାମଲା; ବର୍ଷଙ୍କୁ ୩ ସପ୍ତାହ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ


ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ବର୍ଷା ପ୍ରିୟଦର୍ଶିନୀ ଓ ଅନ୍ୟ ଦୁଇ ଜଣଙ୍କୁ ତିନି ସପ୍ତାହ ଅନ୍ତରୀଣ ସୁରକ୍ଷା ହାଇକୋର୍ଟ ପ୍ରଦାନ କରିଛନ୍ତି। ଏଥିସହିତ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ଷା, ତାଙ୍କ ମା’ ଦୀପା ସାହୁ ଓ ଝିଆରୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଦିଲ୍ଲୀ ପୁଲିସ ନୋଟିସର ଉତ୍ତର ରଖିବାକୁ ବର୍ଷା ଓ ଅନ୍ୟ ଦୁଇ ଆବେଦନକାରୀଙ୍କୁ ହାଇକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅନୁଭବଙ୍କ ସହଯୋଗୀ ସୁଜିତଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ସଂପର୍କିତ ମାମଲାରେ ଦିଲ୍ଲୀ ପୁଲିସ୍‌ ବର୍ଷାଙ୍କ ବିରୋଧରେ ନୋଟିସ୍‌ ଜାରି କରିଥିଲା। ଏହା ପରେ ବର୍ଷା, ତାଙ୍କ ମା’ ଓ ଝିଆରୀ ଜୁଲାଇ ୨୯ରେ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଅଗଷ୍ଟ ୪ରେ ହାଇକୋର୍ଟ ଆବେଦନର ଶୁଣାଣି କରି ବର୍ଷା ଓ ଅନ୍ୟ ଦୁଇ ଆବେଦନକାରୀଙ୍କୁ ଦିଲ୍ଲୀ ନର୍ଥ ଆଭେନ୍ୟୁ ଥାନା କେଶ୍ ନମ୍ବର ୪୨/ ୨୦୨୨ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୧୭ରେ ହାଇକୋର୍ଟ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି। ଏଠାରେ ସୂଚନା ଯୋଗ୍ୟ ଦିଲ୍ଲୀ ପୁଲିସ ଏସ୍‌ସି ଓ ଏସ୍‌ଟି ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିଥିଲା। ତେବେ ଗତ ମାସ ୨୫ ତାରିଖରେ ଦିଲ୍ଲୀ ପୁଲିସର ଏକ ଟିମ୍‌ ପୁରୀଘାଟ ଥାନାରେ ପହଞ୍ଚି ସ୍ଥାନୀୟ ପୁଲିସ ଜରିଆରେ ବର୍ଷାଙ୍କୁ ନୋଟିସ୍‌ କରିଥିଲା।

Related Posts