“ସକାଳୁ ଉଠିବା ମାତ୍ରେ ସିବିଆଇ ଓ ଇଡିର ଖେଳ ଖେଳୁଛନ୍ତି, ଦେଶର ଉନ୍ନତି ହେବ କିପରି”; ମୋଦିଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ ପରେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ। ଏହା ପରେ ମୋଦୀ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶରେ ବେକାରୀ ସମସ୍ୟା ଓ ଦରବୃଦ୍ଧି ସମସ୍ୟା ବିରୋଧରେ ଲଢିବା ବଦଳରେ କେନ୍ଦ୍ର ସରକାର ସକାଳୁ ଉଠିବା ମାତ୍ରେ ସିବିଆଇ ଓ ଇଡିର ଖେଳ ଖେଳୁଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ ।ରାଜଧାନୀ ଦିଲ୍ଲୀରେ ଏବେ ଅବକାରୀ ନୀତିକୁ ନେଇ ରାଜନୀତି ସରଗରମ । ଏଥିରେ ଏବେ ସିବିଆଇ ଟାର୍ଗେଟରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଅନ୍ୟ ୧୩ ଜଣ ଅଛନ୍ତି । ଆଜି ଲୁକ ଆଉଟ୍ ନୋଟିସ୍ ଜାରି କରିବା ପରେ ଆକ୍ରମଣାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେଜ୍ରିୱାଲ । ‘ଦେଶରେ ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ଲୋକଙ୍କ ଉପରେ ଦାଉ ସାଧୁଛି । ଦେଶ କିଭଳି ଏସବୁ ସମସ୍ୟାରୁ ମୁକୁଳିବ ସେକଥା ଚିନ୍ତା ନକରି ସକାଳୁ ଉଠିଲେ ମୋଦୀ ସିବିଆଇ- ଇଡି ଖେଳ ଖେଳୁଛନ୍ତି ।ଏପରି କଲେ ଦେଶ କିଭଳି ଆଗକୁ ବଢିବ?’ ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।

ଅନ୍ୟପଟେ ନିଜ ଉପରେ ହୋଇଥିବା ଲୁକଆଉଟ୍ ନୋଟିସକୁ ନେଇ ମଧ୍ୟ ମୋଦୀଙ୍କ ଉପରେ ବର୍ଷିଛନ୍ତି ସିସୋଦିଆ । ତାଙ୍କ ବିରୋଧରେ ଟଙ୍କାକର ଦୁର୍ନୀତିର କିଛି ପ୍ରମାଣ ନଥାଇ ବି ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଉଛି । ଇଏ କିଭଳି ନାଟକ ବୋଲି ଟ୍ୱିଟ୍ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି ମନୀଷ ସିସୋଦିଆ ।

Related Posts