SDG ଇଣ୍ଡିଆ ଇଣ୍ଡେକ୍ସ ରେଟିଂ କଣ ? କାହିଁକି କେରଳ ୧ ନମ୍ବର ଓ ଓଡ଼ିଶା ୨୧ ତଳେ ?

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତ ସରକାରଙ୍କ ଥିଙ୍କଟ୍ୟାଙ୍କ ନୀତି ଆୟୋଗ ତା’ର ସଷ୍ଟେନେବ୍‌ଲ ଡେଭଲପମେଣ୍ଟ ଗୋଲ୍‌ (SDG) ଇଣ୍ତିଆ ଇଣ୍ଡେକ୍ସ ୨୦୨୦-୨୧ ରିପୋର୍ଟ ଗୁରୁବାର ଦିନ ପ୍ରକାଶ କରିଛି। ନୀତି ଆୟୋଗ ପ୍ରସ୍ତୁତ କରିଥିବା ଏହି ରାଙ୍କିଙ୍ଗରେ କେରଳ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିହାର ସବୁଠାରୁ ପଛରେ ରହିଛି। ୨୦୨୦-୨୧ ଅବଧି ଲାଗି ୬୧ ସ୍କୋର ସହ ଓଡ଼ିଶା ୨୧ତମ ସ୍ଥାନକୁ ଖସିଛି। ୨୦୧୯ରେ ୫୮ ସ୍କୋର ସହ ଏହା ୧୫ ତମ ସ୍ଥାନରେ ଥିଲା। ସେହିପରି ୨୦୧୮ରେ ୫୧ ସ୍କୋର ସହ ଓଡ଼ିଶା ୨୨ତମ ସ୍ଥାନରେ ଥିଲା। ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ମିଜୋରାମ, ହରିୟାଣା ଏବଂ ଉତ୍ତରାଖଣ୍ଡ ୨୦୧୯ ତୁଳନାରେ ଭଲ ପ୍ରଦର୍ଶନ କରି ରାଙ୍କିଙ୍ଗରେ ଉନ୍ନତି ଆଣିଛନ୍ତି । ୨୦୨୦-୨୧ ଅବଧି ଲାଗି ପ୍ରକାଶିତ ସୂଚକାଙ୍କରେ ବିହାର, ଝାଡଖଣ୍ଡ ଏବଂ ଆସାମ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି।

SDG ଇଣ୍ଡିଆ ଇଣ୍ଡେକ୍ସ କ’ଣ ?

ନୀତି ଆୟୋଗ ତା’ର ସଷ୍ଟେନେବ୍‌ଲ ଡେଭଲପମେଣ୍ଟ ଗୋଲ୍‌ (SDG) ଇଣ୍ତିଆ ଇଣ୍ଡେକ୍ସ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗ, ଅର୍ଥନୈତିକ ଅଭିବୃଦ୍ଧି, ଅନୁଷ୍ଠାନ, ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସମେତ ବିଭିନ୍ନ ମାନକ ଆଧାରରେ ଏଭଳି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ୨୦୧୮ରେ ପ୍ରଥମ ଥର ଲାଗି ଏଭଳି ସୂଚକାଙ୍କ ପ୍ରକାଶ ପାଇଥିଲା। ସେବେଠାରୁ ଭାରତରେ ରାଜ୍ୟ ଗୁଡ଼ିକର SDG ଅଗ୍ରଗତି ଉପରେ ନଜର ରଖିବା ପାଇଁ ଏହି ଇଣ୍ଡେକ୍ସ ଏକ ମାପକାଠି ହୋଇଯାଇଛି। ଆନ୍ତର୍ଜାତୀୟ ଲକ୍ଷ୍ୟ ଆଧାରରେ ରାଙ୍କିଙ୍ଗ ପ୍ରଦାନ କରି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି କରିଛି । SDG ଇଣ୍ଡିଆ ଇଣ୍ଡେକ୍ସ ସ୍କୋରଗୁଡିକ ୦ ରୁ ୧୦୦ ମଧ୍ୟରେ ରହିଥାଏ। ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକ ସେମାନଙ୍କର SDG ଇଣ୍ଡିଆ ଇଣ୍ଡେକ୍ସ ସ୍କୋର ଉପରେ ଆଧାର କରି ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି।
ଆକାଙ୍‌କ୍ଷୀ (ଆସପିରାଣ୍ଟ) : ୦-୪୯, ପ୍ରଦର୍ଶନକାରୀ (ପରଫରମର) : ୫୦-୬୪, ଆଗଧାଡି (ଫ୍ରଣ୍ଟ ରନ୍‌ର) : ୬୫-୯୯ , ଲକ୍ଷ୍ୟ ହାସଲକାରୀ (ଆଚିଭର): ୧୦୦ । ତେବେ ବର୍ତ୍ତମାନ ଆକାଂକ୍ଷୀ ଏବଂ ହାସଲକାରୀ ବର୍ଗରେ କୌଣସି ରାଜ୍ୟ ନାହିଁ। ୧୫ ଟି ରାଜ୍ୟ / UT ପ୍ରଦର୍ଶନକାରୀ ବର୍ଗରେ ରହିଥିବା ବେଳେ ୨୨ ଟି ରାଜ୍ୟ / UT ଗୁଡିକ ଫ୍ରଣ୍ଟ-ରନର୍ ବର୍ଗରେ ରହିଛନ୍ତି।

SDG ଇଣ୍ଡିଆ ଇଣ୍ଡେକ୍ସର ମହତ୍ତ୍ୱ କ’ଣ ?

ଭାରତରେ ମିଳିତ ଜାତିସଂଘର ସହଯୋଗରେ ଏହି ସୂଚକାଙ୍କ ପ୍ରକାଶ କରିଛି। ପରିସଂଖ୍ୟାନ ଏବଂ ପ୍ରୋଗ୍ରାମ ନିୟୋଜନ ମନ୍ତ୍ରଣାଳୟର ନ୍ୟାସନାଲ ଇଣ୍ଡିକେଟର୍ ଫ୍ରେମୱାର୍କ (NIF) ସହିତ ସଂଯୁକ୍ତ ୧୧୫ ସୂଚକାଙ୍କ ଆଧାରରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରଗତି ଉପରେ ନଜର ରଖିଛି । ଆନ୍ତର୍ଜାତୀୟ SDG ଢାଞ୍ଚା ସହିତ ଅନୁରୂପ ନୀତି ପଲିସି , ଫର୍ମୁଲେସନ୍ ଏବଂ ବିକାଶ କାର୍ଯ୍ୟର କାର୍ଯ୍ୟକାରିତା ପାଇଁ ସୂଚକାଙ୍କ ହେଉଛି ଏକ ପ୍ରମୁଖ ଉପକରଣ । ଏହା ସଷ୍ଟେନେବ୍‌ଲ ଡେଭଲପମେଣ୍ଟ ଗୋଲ୍‌ କୁ ଟ୍ରାକ୍ କରିବା ଏବଂ ଭାରତର ପରିସଂଖ୍ୟାନ ପ୍ରଣାଳୀର ବିକାଶ ପାଇଁ ଆବଶ୍ୟକତା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ଗୁଡିକ ଚିହ୍ନଟ କରିବାରେ ସାହାଯ୍ୟ କରେ । ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର କହିଛନ୍ତି ଯେ “ଦେଶର ବିଭିନ୍ନ ରାଜ୍ୟରେ ଏସ୍‌ଡିଜିର ଅନୁଧ୍ୟାନ ଓ ତଦାରଖ ପାଇଁ ଆମେ ଯେଉଁ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍‌ବୋର୍ଡ ବ୍ୟବହାର କରୁଛୁ । ଆମେ ନିଶ୍ଚିତ ଯେ ଏହା ଅନୁକରଣର ବିଷୟ ହୋଇ ରହିବ ଏବଂ ଆନ୍ତର୍ଜାତୀୟ ସ୍ତରରେ ମନିଟରିଂ ପ୍ରୟାସକୁ ସହାୟକ ହେବ।” ୨୦୧୮ ରେ ଏହାର ପ୍ରଥମ ସଂସ୍କରଣରେ ୧୩ଟି ଲକ୍ଷ୍ୟ, ୩୯ଟି ଟାର୍ଗେଟ (ନିର୍ଦ୍ଦିଷ୍ଟ ଲକ୍ଷ୍ୟ) ଏବଂ ୬୨ ସୂଚକ ସ୍ଥାନିତ ହୋଇଥିଲା। ତୃତୀୟ ସଂସ୍କରଣରେ ୧୧୫ ସୂଚକାଙ୍କ ସହ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ୧୬ଟି ଏସ୍‌ଡିବି ସମ୍ପର୍କରେ ରାଜ୍ୟମାନଙ୍କର ଲକ୍ଷ୍ୟଭିତ୍ତିକ ପ୍ରଦର୍ଶନକୁ ହିସାବକୁ ନେଇଛି ।

ଚଳିତବର୍ଷ ରିପୋର୍ଟ :

ଦେଶର ଏସଡିଜି ସ୍କୋର ୬ ପଏଣ୍ଟ ବଢ଼ିଛି। ୨୦୧୯ରେ ଏହା ୬୦ ଥିବା ବେଳେ ୨୦୨୦-୨୧ରେ ୬୬କୁ ବୃଦ୍ଧି ପାଇଛି। ବିଶୁଦ୍ଧ ଜଳ ଏବଂ ସ୍ବଚ୍ଛତା , ସୁଲଭ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଭଳି କାର୍ଯ୍ୟଦକ୍ଷତାର ଉନ୍ନତିକୁ ହିସାବକୁ ନିଆଯାଇଛି । ୭୫ ସ୍କୋର ସହ କେରଳ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ହିମାଚଳ ପ୍ରଦେଶ ଓ ତାମିଲନାଡୁ ୭୪ ପଏଣ୍ଟ ଲେଖାଏ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚଳିତ ଇଣ୍ଡିଆ ସୂଚକାଙ୍କରେ ବିହାର, ଝାଡ଼ଖଣ୍ଡ ଓ ଆସାମ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରେ ଚଣ୍ଡିଗଡ଼ ୭୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀକୁ ୬୮ ପଏଣ୍ଟ ମିଳିଛି।୨୦୧୯ ତୁଳନାରେ ମିଜୋରାମ, ହରିଆଣା ଓ ଉତ୍ତରାଖଣ୍ଡ ଭଲ ପ୍ରଦର୍ଶନ କରିଛନ୍ତି। ୨୦୨୦-୨୧ ରିପୋର୍ଟରେ ସେମାନଙ୍କ ପଏଣ୍ଟ ଯଥାକ୍ରମେ ୧୨,୧୦ ଓ ୮ ଲେଖାଏ ବଢ଼ିଛି। ୨୦୧୯ରେ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଗଧାଡି (ଫ୍ରଣ୍ଟ ରନ୍‌ର) [ପଏଣ୍ଟ ସଂଖ୍ୟା ୬୫ ରୁ ୯୯] ତାଲିକାରେ ରହିଥିବା ବେଳେ ୨୦୨୦-୨୧ରେ ଏହି ତାଲିକାରେ ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡ଼ି ହୋଇଯାଇଛନ୍ତି। ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ହରିଆଣା, ତ୍ରିପୁରା, ଦିଲ୍ଲୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର, ଜମ୍ମୁ-କଶ୍ମୀର ଓ ଲଦାଖ ନୂଆ ଭାବେ ୬୫ରୁ ୯୯ ପଏଣ୍ଟ ରେଞ୍ଜରେ ସାମିଲ ହୋଇଛନ୍ତି।

Related Posts