ସିବିଆଇ, ଇଡି ଓ ଆଇଟି ହେଉଛନ୍ତି ଭାଜପାର ୩ ଜ୍ବାଇଁ, ଭାଜପା ଯେଉଁଠି ହରିଯାଏ ଏମାନେ ସେଠାକୁ ଚାଲି ଆସନ୍ତି: ତେଜସ୍ଵୀ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଅପବ୍ୟବହାରକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ସେ କହିଛନ୍ତି ଯେ, ଭାଜପାର ଯେତେବେଳେ କୌଣସି ରାଜ୍ୟରେ ହାରିବାର ଭୟ ଥାଏ କିମ୍ବା କେଉଁ ରାଜ୍ୟରେ ଭାଜପା ହାରେ, ସେତେବେଳେ ଭାଜପା ତାର ୩ ‘ଜ୍ୱାଇଁ’, ସିବିଆଇ, ଇଡି ଏବଂ ଆଇଟି ନେଇ ଆଗକୁ ବଢିଥାଏ। ଯଦି ଜଣେ ଭାଜପା ସହିତ ରହିବେ, ସେ ରାଜା ହରିଶ୍ଚନ୍ଦ୍ର, କିନ୍ତୁ ଯଦି ହାତ ଛାଡ଼ିଦେଲେ ସେ ଦୁର୍ନୀତିଗ୍ରସ୍ତ । ମୁଁ ବିଦେଶ ଗଲେ, ଭାଜପା ମୋ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରେ। କିନ୍ତୁ ନୀରବ ମୋଦି, ବିଜୟ ମାଲ୍ୟା ଏବଂ ଲଳିତ ମୋଦିଙ୍କ ପରି ଠକମାନେ ଦେଶର ସମ୍ପତ୍ତି ନେଇ ଦେଶ ଛାଡି ପଳାନ୍ତି, ତାଙ୍କର ଭାଜପା କିଛି କରି ପାରେ ନାହିଁ ବୋଲି ତେଜସ୍ବୀ କହିଛନ୍ତି।

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ରାଜ୍ୟର ନୂଆ ସରକାରକୁ ନେଇ କହିଛନ୍ତି, ଆମେ କ୍ରିକେଟର ଅଟୁ ଏବଂ ଏହି ଯୋଡି (ଆରଜେଡି ଏବଂ ଜେଡିୟୁ) କଦାପି ଭାଙ୍ଗିବ ନାହିଁ। ସବୁଠାରୁ ଲମ୍ବା ଇନିଂସ ଖେଳି ବିହାର ଏବଂ ଦେଶର ବିକାଶ ପାଇଁ କାର୍ଯ୍ୟ କରିବ। ଯିଏ ଭାଜପାକୁ ଡରିବ, ସେ ମରିବ। ଏଥର କୌଣସି ରନ ଆଉଟ ହେବନାହିଁ। ବର୍ତ୍ତମାନ ୨୦୨୪ ନିର୍ବାଚନ ହାରିବା ଭୟ ହେଉଛି ଭାଜପାର ସବୁଠାରୁ ବଡ ଯନ୍ତ୍ରଣା।

ସୂଚନାଯୋଗ୍ୟ, ବିହାରରେ ଆଜି ଆକ୍ସନ ମୋଡକୁ ଆସିଛି ସିବିଆଇ। ସକାଳୁ ସକାଳୁ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ଦୁଇ ବରିଷ୍ଠ ନେତାଙ୍କ ଘରେ ସିବିଆଇ ଟିମ ଏକାକାଳୀନ ରେଡ କରିଛି। ଲାଲୁ ପ୍ରସାଦ ଯାଦବ ରେଳବାଇ ମନ୍ତ୍ରୀ ଥିବା ବେଳେ ଚାକିରି ପାଇଁ ଜମି ଦୁର୍ନୀତି ଘଟିଥିଲା। ଏହି ଘଟଣାରେ ଆଜି ସିବିଆଇ ରେଡ କରିଛି। ସିବିଆଇ ଟିମ ଆରଜେଡିର ରାଜ୍ୟ ସଭା ଏମ୍‌ପି ଅହମଦ ଅସଫାକ କରିମ ଓ ବିହାର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହଙ୍କ ଘରେ ପହଞ୍ଚିଛି। ଉଭୟ ନେତାଙ୍କ ଘର ଓ ବିଭିନ୍ନ ଠିକଣାରେ ସକାଳୁ ରେଡ ଆରମ୍ଭ କରାଯାଇଛି।

Related Posts