ଦିଲ୍ଲୀର ଅବକାରୀ ନୀତି ଭ୍ରଷ୍ଟାଚାର ମାମଲାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ତତ୍କାଳୀନ ଅବକାରୀ କମିଶନର ଏବଂ ଡେପୁଟି କମିଶନର ନିଲମ୍ୱିତ

ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ନୀତିରେ ହୋଇଛି ଭ୍ରଷ୍ଟାଚାର । ଏନେଇ ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ସୋମାବାର ବିଳମ୍ୱିତ ସନ୍ଧ୍ୟାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତତ୍କାଳୀନ ଦିଲ୍ଲୀ ଅବକାରୀ ଆୟୁକ୍ତ ଆରବ ଗୋପି କୃଷ୍ଣା ଓ ଉପାୟୁକ୍ତ ଆନନ୍ଦ ତିୱାରିଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରିଛନ୍ତି।

ସୂଚନା ଥାଉକି, ଗତ କିଛିଦିନ ପୂର୍ବରୁ ଦିଲ୍ଲୀର ଉପରାଜ୍ୟପାଳ ବିକେ ସକ୍ସେନା ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ସମ୍ୱନ୍ଧରେ ଗୁରୁତର ଭୁଲ ପାଇଁ ଅବକାରୀ ବିଭାଗର ୧୧ ଜଣ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ କାର୍ଯ୍ୟରୁ ନିଲମ୍ୱନ କରିଥିଲେ। ଏହାର କିଛି ଦିନ ପରେ ଗୃହ ମନ୍ତ୍ରଣାଳୟ ଅବକାରୀ ଆୟୁକ୍ତ ଆରବ ଗୋପି କୃଷ୍ଣା ଓ ଉପାୟୁକ୍ତ ଆନନ୍ଦ ତିୱାରିଙ୍କୁ କାର୍ଯ୍ୟରୁ ନିଲମ୍ୱନ କରିଛନ୍ତି। ଉପ-ରାଜ୍ୟପାଳଙ୍କ ପରେ କେନ୍ଦ୍ରର ଏପରି କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉପରାଜ୍ୟପାଳ ବିକେ ସକ୍ସେନା ଦିଲ୍ଲୀ ଅବକାରୀ ନୀତିର ନିର୍ମାଣ ଓ କ୍ରିୟାନ୍ୱୟନରେ ଭ୍ରଷ୍ଟାଚାର ଓ ଲାଞ୍ଚ ନେବା ଅଭିଯୋଗରେ ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ।ଏହା ପରେ ଚଳିତ ବର୍ଷ ଜୁଲାଇ ମାସରେ ଏହି ନୀତିକୁ ସରକାର ପ୍ରତ୍ୟାହାର କରିଥିଲେ।

ଏହି ମାମାଲାରେ ଅଗଷ୍ଟ ୧୭ ରେ ସିବିଆଇ ଦ୍ୱାରା ଏତଲା ରୁଜୁ କରାଯାଇଥିଲା। ଏହି ଏତଲାରେ ସିବିଆଇ ଅପରାଧିକ ଉଦ୍ଦେଶ୍ୟ ସହିତ ସମ୍ୱନ୍ଧିତ ଆଇପିସି ଧାରା ଓ ଭ୍ରଷ୍ଟାଚାର ନିବାରଣ ଅଧିନିୟମର ବ୍ୟବସ୍ଥାଗୁଡ଼ିକୁ ଯୋଡିଥିଲା। ଏହି ଏତଲାରେ ଆରବ କୃଷ୍ଣା, ପୂର୍ବତନ ଅବାକାରୀ ଉପାୟୁକ୍ତ ଆନନ୍ଦ ତିୱାରି, ସହାୟକ ଅବକାରୀ ଆୟୁକ୍ତ ପଙ୍କଜ ଭଟ୍ଟନାଗର, ୯ ଜଣ ବ୍ୟବସାୟୀ ଓ ଦୁଇ କମ୍ପାନୀ ସହିତ ଲୋକସେବକଙ୍କ ନାଁ ମଧ୍ୟ ସାମିଲ କରାଯାଇଥିଲା।

Related Posts