କହ୍ନେୟା କୁମାରଙ୍କ ବିରୋଧରେ 1,200 ପୃଷ୍ଠାର ଚାର୍ଜସିଟ୍‌

୨୦୧୬ ମସିହା ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ଦେଶଦ୍ରୋହ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ୍‌ । ପୂର୍ବତନ ଛାତ୍ରସଂଘ ନେତା କହ୍ନେୟା କୁମାର ଓ ଅନ୍ୟମାନଙ୍କ ବିରୋଧରେ 1200 ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି । ପୂର୍ବତନ ଛାତ୍ରସଂଘ ସଭାପତି କହ୍ନେୟା କୁମାରଙ୍କ ସମେତ ଛାତ୍ର ନେତା ସୟିଦ ଉମର ଖଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟ, ଉମର ଗୁଲ୍‌ ଏବଂ ଅନ୍ୟ ଛାତ୍ରନେତାଙ୍କ ନାଁ ମଧ୍ୟ ରହିଛି ।

୨୦୧୬ ଫେବ୍ରୁଆରୀ ୯ରେ ଦିଲ୍ଲୀ ଜେଏନ୍‌ୟୁ ପରିସରରେ, ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଆଫଜଲ ଗୁରୁର ଫାଶୀ ଦିବସ ପାଳନ କରାଯାଇଥିଲା । ସେଥିରେ ଭାରତ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ଏଥିପାଇଁ କହ୍ନେୟା କୁମାର ଅନ୍ୟମାନଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଥିଲା ।

ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ-ଏବିଭିପିର ଅଭିଯୋଗ ଆଧାରରେ ୨୦୧୬, ଫେବ୍ରୁଆରୀ ୧୧ରେ ଦେଶଦ୍ରୋହ, ଅପରାଧିକ ଷଡଯନ୍ତ୍ର ଦଫା ଲଗାଇ ପୋଲିସ ମାମଲା ରୁଜୁ କରିଥିଲା । ତେବେ ପୋଲିସ ଚାର୍ଜସିଟ୍‌କୁ କହ୍ନେୟା କୁମାର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଜେଏନୟୁ ଛାତ୍ରଛାତ୍ରୀ ତଥା ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଚାର୍ଜସିଟ୍‌କୁ ବିରୋଧ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କୁହାଯାଇଛି । ପୋଲିସ କହିଛି ଅଭିଯୁକ୍ତଙ୍କ ବିରୋଧରେ ପକ୍କା ପ୍ରମାଣ ରହିଛି ।

Related Posts