ଛତିଶଗଡରେ ଉପୁଜିଥିବା କନ୍ଦଳ ବର୍ତ୍ତମାନ ଦିଲ୍ଲୀ ଦରବାରରେ; ମୁଖ୍ୟମନ୍ତ୍ରୀ ବାଗେଲ ଏବଂ ସିଂହଦେଓଙ୍କ ସହିତ ଆଜି ବୈଠକ କରିବେ ରାହୁଲ ଗାନ୍ଧି

ra hul gandhi

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଭିତରେ ବାରମ୍ବାର କର୍ମୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେଉଥିବାର ଦେଖିବା ପାଇଁ ମିଳୁଛି । ଏନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରୁଥିବାବେଳେ ପୁଣି ଆଉ ଏକ ବିବାଦ କଂଗ୍ରେସ ଦଳରେ ମୁଣ୍ଡ ଟେକିଛି । ତେବେ ପଞ୍ଜାବ ପରେ ବର୍ତ୍ତମାନ ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ଫାଟ ସୃଷ୍ଟି ହୋଇଥିବାର କଥା ସାମ୍ନାକୁ ଆସିଛି । ଏହା ସହ ଛତିଶଗଡର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ କଂଗ୍ରେସ ଉପରେ ଚାପ ମଧ୍ୟ ପ୍ରୟୋଗ କରାଯାଉଛି । ହେଲେ ଏପର୍ଯ୍ୟନ୍ତ ପାର୍ଟି ହାଇ କମାଣ୍ଡ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ କୌଣସି ସୂଚନା ଦେଇ ନାହାଁନ୍ତି । ଅପରିପକ୍ଷେ ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ମଧ୍ୟରେ କଳହ ଲାଗି ରହିଛି।

ଏପରିକି କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଉଭୟ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି। ଅନ୍ୟପଟେ ସିଂହଦେଓଙ୍କ ସମର୍ଥକମାନେ କହିଛନ୍ତି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଢେଇ ବର୍ଷର ଚୁକ୍ତି ହୋଇଥିଲା । ତେଣୁ ଏହି ଚୁକ୍ତି ଅନୁଯାୟୀ ବର୍ତ୍ତମାନ ସିଂଓଦେବଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ବୋଲି କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏପରି କିଛି ଚୁକ୍ତି ହୋଇନଥିବାର କଥା କହିଥିଲେ । ବର୍ତ୍ତମାନ ସରକାରଙ୍କୁ ଅସ୍ଥିର କରିବା ବିପର୍ଯ୍ୟସ୍ତ ହୋଇପାରେ ବୋଲି କହିଛନ୍ତି । ଏହା ଛଡା ମିଳିଥିବା ସୂଚନା ଅନୁସାରେ ଉଭୟ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ରାହୁଲ ଗାନ୍ଧିଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି ବୋଲି ସୂଚନା ମିଳିଛି । ଏହି ଅବସରରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏବଂ ଛତିଶଗଡର ଦାୟିତ୍ୱରେ ଥିବା ପିଏଲ ପୁନିଆ ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ଏନେଇ ବାଗେଲ କହିଛନ୍ତି ଯେ ରାହୁଲ ଗାନ୍ଧି ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଏକ ବୈଠକ ଡାକିଛନ୍ତି ।

ଅନ୍ୟପଟେ ୨୦୧୮ ମସିହା ଡିସେମ୍ବରେ ଛତିଶଗଡରେ ସରକାର ଗଠନ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ବାଗେଲ ଏବଂ ସିଂହଦେଓଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । କେବଳ ଏତିକି ନୁହେଁ ବରଂ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ସିଂହଦେଓଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଥିଲା ବେଳେ କଂଗ୍ରେସ ବିଧାୟକ ବୃହସ୍ପତି ସିଂହ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହ ଦେଓଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ଆସିଥିଲା । ତେବେ ବୃହସ୍ପତି ମୁଖ୍ୟମନ୍ତ୍ରୀ ବାଗେଲଙ୍କ ନିକଟତର ବୋଲି ବିବେଚନା କରାଯାଏ । ତେଣୁ ସିଂହଦେଓଙ୍କ ସମର୍ଥକ ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ହାତ ରହିଛି ବୋଲି ଅଭିଯୋଗ କରିଥିଲେ ।

Related Posts