ଉଦ୍ଧବଙ୍କ ବିରୋଧରେ ବୟାନ ଦେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ; ନାରାୟଣ ରାଣେଙ୍କ ବିରୋଧରେ ୩ଟି ଏଫଆଇଆର ସମେତ ଜାରି ହେଲା ୱାରେଣ୍ଟ

narayan rane

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବୟାନ ଦେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନକୁ ବିରୋଧ କରି ପୁଣେ, ରାଇଗଡ ଏବଂ ନାଶିକରେ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ପୁଣେ ପୁଲିସ ମଧ୍ୟ ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଛି । ଏନେଇ ପୁଣେର ଚତୁଶ୍ରୁଗି ପୁଲିସ ଷ୍ଟେସନର ଏକ ଟିମ ରାଇଗଡର ଚିପଲୁନ ଅଭିମୁଖେ ଯାତ୍ରା କରଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ବିଜେପିର ଜନଆର୍ଶୀବାଦ ଯାତ୍ରାରେ ସାମିଲ ହେବା ପାଇଁ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ରାଇଗଡର ଚିପଲୁନରେ ରହିଛନ୍ତି । ଯେହେତୁ ରାଣେ ଜଣେ ସାଂସଦ । ତେଣୁ ପୁଲିସକୁ ସମସ୍ତ ପ୍ରୋଟକଲକୁ ଅନୁସରଣ କରିବା ପାଇଁ ପଡୁଛି । ଏହା ସହ ମନ୍ତ୍ରୀଙ୍କ ଗିରଫ ପରେ ଏହି ସୂଚନା ରାଜ୍ୟସଭା ବାଚସ୍ପତି ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଦିଆଯିବ । ଅନ୍ୟପଟେ ମନ୍ତ୍ରୀଙ୍କ ବୟାନ ପରେ ଶିବସୈନିକ ଆକ୍ରମଣାତ୍ମକ ଦେଖାଯାଉଛନ୍ତି। କାହିଁକି ନା ପ୍ରାୟ ଦୁଇଶହ ଶିବସେନା କର୍ମଚାରୀ ନାଶିକରେ ଥିବା ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବାର ଚିତ୍ର ସାମ୍ନାକୁ ଆସିଛି ।

ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି ସ୍ୱାଧୀନତା ଦିବସରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅମୃତ ମହୋତ୍ସବକୁ ନେଇ ଦ୍ୱନ୍ଦରେ ଥିବାର ଦେଖାଦେଇଥିଲେ । ଏନେଇ ଏକ ସାମ୍ବାଦିକ ସମ୍ମୀଳନିରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ପଚାରାଯିବାରୁ ସେ ବଡ ବୟାନ ଦେଇଥିଲେ । ସେ କହିଥିଲେ ଦେଶ ସ୍ୱାଧୀନତା ପାଇବାର କେତେ ବର୍ଷ ବିତିଗଲାଣି, ହେଲେ ଅମୃତ ମହୋତ୍ସବ କ’ଣ ତାହା ଆଜି ମଧ୍ୟ ଉଦ୍ଧବ ଜାଣିନାହାଁନ୍ତି । ଯଦି ମୁଁ ସେହି ସ୍ଥାନରେ ଥାନ୍ତି ତାହାଲେ ତାଙ୍କୁ ଗୋଟେ ଚାପୁଡା ମାରିଥାନ୍ତି । କେବଳ ଏତିକିରେ ଚୁପ ରହିନଥିଲେ କେନ୍ଦ୍ରମନ୍ତ୍ରୀ, ସେ ଆହୁରି କହିଥିଲେ ଆପଣଙ୍କୁ ସ୍ୱାଧୀନତା ଦିବସ ବିଷୟରେ ଜାଣିବା ଉଚିତ୍ ନୁହେଁ କି? ଏ ବାବଦରେ ନ ଜାଣିବା କେତେ ବିରକ୍ତୀକର ଜିନିଷ ଅଟେ । ଏହା ସହ ସରକାର କିଏ ଚଳାଉଛି ତାହା ମଧ୍ୟ ବୁଝାପଡୁ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହିଥିଲେ ।

ସେଠାରେ ବିଧାନ ପରିଷଦର ବିରୋଧୀ ନେତା ପ୍ରବୀଣ ଡାରେକର ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ରାଣେଙ୍କ ବିରୋଧରେ ଦାଏର ହୋଇଥିବା ଏଫଆଇଆରକୁ ନେଇ ମଧ୍ୟ ମନ୍ତ୍ରୀ ମୁହଁ ଖୋଲିଥିଲେ । ତେବେ ତାଙ୍କ ବିରୋଧରେ ଆସିଥିବା ୱାରେଣ୍ଟ ଏବଂ ଦାଏର ହୋଇଥିବା ମାମଲା ବିଷୟରେ ତାଙ୍କ ପାଖରେ କୌଣସି ଖବର ନାହିଁ । ଏବଂ ସେ ପୁଲିସ ପାଖରୁ ଏବାବଦରେ କୌଣସି ନୋଟିସ ମଧ୍ୟ ପାଇନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହା ସହ ମୁଁ କୌଣସି ଅପରାଧ କରି ନାହିଁ ଏବଂ କୌଣସି ଏଫଆଇଆର ବିଷୟରେ ମୁଁ ଅବଗତ ନୁହେଁ । ମୁଁ ଜଣେ ରାଜ୍ୟସଭା ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ, ତେଣୁ ଆଇନ କ’ଣ ମୁଁ ଭଲଭାବରେ ଜାଣିଛି ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ସ୍ପଷ୍ଟ କରିଛନ୍ତି ।

Related Posts