ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାକୁ ନେଇ ପୁଣି ଥରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । , ”ଅର୍ଚ୍ଚନା ନାଗ ଏକ କଳଙ୍କିତ ଅଧ୍ୟାୟ । ଏହି କଳଙ୍କିତ ଅଧ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଦାୟୀ । ଅର୍ଚ୍ଚନା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅଧିକ ସନ୍ଦେହ ସୃଷ୍ଟି କରୁଛି ।” ବଡ ବଡ ନେତାଙ୍କ ସମ୍ପୃକ୍ତି ଥାଇ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ।
ଲେଡି ବ୍ଲାକମେଲର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଛନ୍ତି ଶରତ ପଟ୍ଟନାୟକ । ଆହୁରିମଧ୍ୟ, ପୋଲିସର କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ସେ କହିଛନ୍ତି, ”ଓଡିଶା ପୋଲିସ ପୂର୍ବରୁ ଅନେକ ମାମଲାରେ ଦୃଢ ପଦକ୍ଷେପ ନେଇଛି । ମାତ୍ର ଅର୍ଚ୍ଚନା ନାଗ ଘଟଣାରେ ବଡ ବଡ ନେତାଙ୍କ ସମ୍ପୃକ୍ତି ସମ୍ପର୍କିତ ତଥ୍ୟ ଥାଇ ବି ପୋଲିସ ଚାପରେ ପଡି କାହା ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ।” ତେଣୁ ଏହି ଘଟଣାରେ ଏସଆଇଟି ତଦନ୍ତ ଦାବି କରିଛନ୍ତି ପିସିସି ସଭାପତି । ଓଡିଶା ସାରା ଦେଶରେ ବଦନାମ ହେଉଛି ।
ବିଜୁ ଜନତା ଦଳ ମାଆକୁ ସମ୍ମାନ କଥା କହିହେଉଛନ୍ତି । ହେଲେ ବଲାଙ୍ଗୀର ଠାରୁ ଆରମ୍ଭ କରି କଳାହାଣ୍ଡି ଯାଏଁ ସବୁ ଜିଲ୍ଲାରେ ନାରୀ ନିର୍ଯାତନାର ଶିକାର ହେଉଛନ୍ତି ଏବଂ ରାଜ୍ୟ ସରକାର ଚୁପ୍ ବସିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ତେବେ ଏହାପୂର୍ବରୁ ମଧ୍ୟ କଂଗ୍ରେସ ଅର୍ଚ୍ଚନା ନାଗ ମାମଲାରେ ଏସଆଇଟି ଦାବି କରିଥିବାବେଳେ, ବଡ ବଡୁଆ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ଅହରାତ୍ର ସତ୍ୟାଗ୍ରହ କରିଥିଲା ।





